ଜେଟଲୀଙ୍କ ନାମରେ ପୁନଃନାମିତ ହେବ ଫିରୋଜ ଶାହା କୋଟଲା ଷ୍ଟାଡିୟମ
1 min read
ଆଓରି-ନୂଆଦିଲ୍ଲୀ(୨୭/୦୮) : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ଵର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ କ୍ରିକେଟ ଷ୍ଟାଡିୟମ। ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମକୁ ଜେଟଲୀଙ୍କ ନାମରେ ପୁନଃନାମିତ କରାଯାଇ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ରଖାଯିବ। ଦିଲ୍ଲୀ ଏବଂ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛି। ଜେଟଲୀ ଏହି କ୍ରିକେଟ ଆସୋସିଏଶନର ପୂର୍ବତନ ସଭାପତି ଥିଲେ। ଜେଟଲୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଶନ ଏଭଳି ପଦକ୍ଷେପ ନେଇଛି। ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଷ୍ଟାଡିୟମର ପୁନଃ ନାମକରଣ କରାଯିବ। ଏଥିରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯିବ ବୋଲି ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଛି।
ଡିଡିସିଏ ସଭାପତି ରଜତ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅରୁଣ ଜେଟଲୀଙ୍କ ସମର୍ଥନ ଏବଂ ଉତ୍ସାହ ବଳରେ ବିରାଟ କୋହଲି, ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଆଶିଷ ନେହରା, ଋଷଭ ପନ୍ତଙ୍କ ଭଳି ଅନେକ ଖେଳାଳି ଭାରତ ଏବଂ ଭାରତୀୟ କ୍ରିକେଟ ଦଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ଜେଟଲୀ ଡିଡିସିଏର ସଭାପତି ଥିବାବେଳେ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନବୀକରଣ କରାଯାଇଥିଲା। ଏଠାରେ ବିଶ୍ଵସ୍ତରୀୟ ଡ୍ରେସିଂ ରୁମ୍ ସହିତ ବିଭିନ୍ନ ଆଧୁନିକ ସୁବିଧା କରାଯାଇଥିବାବେଳେ ଏହାର କ୍ଷମତା ମଧ୍ୟ ବୃଦ୍ଧି ହୋଇଥିଲା।