ଜାତୀୟ

ଜେଟଲୀଙ୍କ ନାମରେ ନାମିତ ହେଲା ଫିରୋଜ ଶାହ କୋଟଲା ଷ୍ଟାଡିୟମ

ଆଓରି-ନୂଆଦିଲ୍ଲୀ(୧୩/୦୯) : ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ  ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ କରାଯାଇଛି । ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ କୋଟଲା ରହିବ। ନୂଆ ନାମକରଣ ସମାରୋହରେ ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଉପସ୍ଥିତ ଥିଲେ।

ଜବାହାରଲାଲ ନେହରୁ ଷ୍ଟାଡିୟମରେ ହୋଇଥିବା ଏହି ସମାରୋହରେ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସମେତ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ଭାରତୀୟ ଦଳର ସବୁ ଖେଳାଳି ଉପସ୍ଥିତ ଥିଲେ।   ଏହି ଅବସରରେ କୋହଲି କହିଥିଲେ, ଯେତେବେଳେ ମୁଁ ଘର ଛାଡ଼ିଲି, ସେତେବେଳେ ମୁଁ ମୋ ପରିବାରକୁ ଏକ କାହାଣୀ ଶୁଣାଇଥିଲି। ମୋର ମନେ ଅଛି ଯେ ୨୦୦୧ରେ ଷ୍ଟାଡିୟମକୁ ଏକ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ମିଳିଥିଲା ଏବଂ ମୁଁ ଖେଳାଳିମାନଙ୍କଠାରୁ ଅଟୋଗ୍ରାଫ୍ ମାଗିଥିଲି। ଆଜି ସେହି ଷ୍ଟାଡିୟମର ଏକ ଷ୍ଟାଣ୍ଡ୍ ମୋ ନାଁରେ କରାଯାଉଛି, ବାସ୍ତବରେ ଏହା ମୋ ପାଇଁ ବଡ଼ ସମ୍ମାନର କଥା।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ ତାରିଖରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ଡିଡିସିଏର ଅଧ୍ୟକ୍ଷ ଏବଂ ବିସିସିଆଇର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଷ୍ଟାଡିୟମରେ ଆଧୁନିକ ସୁବିଧାକରଣ କରିବା ଏବଂ ଦର୍ଶକଙ୍କ କ୍ଷମତା ବଢ଼ାଇବା ସହ ବିଶ୍ୱସ୍ତରୀୟ ଡ୍ରେସିଂ ରୁମ ପ୍ରସ୍ତୁତ କରିବାର ଶ୍ରେୟ ଅରୁଣ ଜେଟଲୀଙ୍କୁ ଦିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button