ଖେଳ

ଗୋଆ-ଇଷ୍ଟବେଙ୍ଗଲ ସେମିଫାଇନାଲ

ଆଓରି(ତା୧୩|୪)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲରେ ଏଫସି ଗୋଆ ୫-୧ ଗୋଲରେ ଜାମସେଦପୁର ଏଫସିକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ୧୬ ତାରିଖରେ ହେବାକୁଥିବା ସେମିଫାଇନାଲରେ ଏହି ଦଳ ଇଷ୍ଟବେଙ୍ଗଲକୁ ଭେଟିବ। ଘଟଣା ବହୁଳ ଓ ବର୍ଷା ଭିଜା ଏହି ମ୍ୟାଚର ୩୪ତମ ମିନିଟରେ ବ୍ରେଣ୍ଡନ ଫର୍ନାଣ୍ଡିଜ୍‌ ଏକ ଗୋଲ ଦେଇ ଗୋଆକୁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଗଣ୍ଡଗୋଳ ଜନିତ ଘଟଣାରୁ ଦ୍ୱିତୀୟାର୍ଦ୍ଧ ଉଭୟ ଦଳ ପାଇଁ ୮ ଖେଳାଳି ବିଶିଷ୍ଟ ହୋଇଯାଇଥିଲା। କାଳବୈଶାଖି ଯୋଗୁ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ବର୍ଷା ଭିଜା ଦ୍ୱିତୀୟାର୍ଦ୍ଧର ୬୭ତମ ମିନିଟରେ ଡି ଏରିଆ ମଧ୍ୟରେ ଜାମସେଦପୁର ଏଫସିର ଏମରସନ ଗୋମ୍ସ ଡି ମୌରା(ମେମୋ) ଗୋଆର ଫାରେନ କୋରୋମିନାସ ଟେଲେଚିଆଙ୍କୁ ଫାଉଲ୍‌ ମାରିବାରୁ ରେଫରି ପେନାଲ୍ଟି କିକ୍‌ ନିଷ୍ପତ୍ତି ନେଇଥିଲେ। ୬୯ତମ ମିନିଟରେ କୋରୋମିନାସ ଏହାକୁ ଗୋଲରେ ପରିଣତ କରି ଗୋଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଏହି ଗୋଲ ପରେ ଜାମସେଦପୁର ଖେଳାଳି ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇ ଯାଇଥିଲେ। ଏହାର ଭରପୂର ସୁଯୋଗ ଉଠାଇଥିଲେ ଗୋଆ ଖେଳାଳି। ପଡ଼ିଆରେ ବର୍ଷା ବଢ଼ିବା ସହିତ ଗୋଲ ବର୍ଷା ମଧ୍ୟ ହୋଇଥିଲା। ୭୭ତମ ମିନିଟରେ ମନଭିର ସିଂ ଗୋଟିଏ ଗୋଲ ଦେଇ ଗୋଆର ଅଗ୍ରଣୀକୁ ୩-୦ରେ ପହଞ୍ଚାଇଥିବାବେଳେ ହ୍ୟୁଗୋ ବୌମସ ୭୮ ଓ ୮୯ତମ ମିନିଟରେ ୨ଟି ଗୋଲ ଦେଇ ମ୍ୟାଚକୁ ଏକପାଖିଆ କରି ଦେଇଥିଲେ। ଜାମସେଦପୁର ପକ୍ଷରୁ ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୯୦+୨ ମିନିଟରେ ଅସିମ ବିଶ୍ୱାସ ଗୋଟିଏ ଗୋଲ ପରିଶୋଧ କରି ଦଳର ସମ୍ମାନ ରଖିଥିଲେ। ଗୋଆ ପକ୍ଷରୁ ଡବଲ ଗୋଲ ଦେଇଥିବା ହ୍ୟୁଗୋ ବୌମସ ହିରୋ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button