May 20, 2024

କାଳିଆ ଯୋଜନା ଦ୍ଵାରା ଚାଷୀଙ୍କର କୌଣସି ସୁବିଧା ହୋଇପାରିନାହିଁ ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୨୫/୦୨) : ଟମୋଟୋ ବିକ୍ରୀ କରିନପାରି କେନ୍ଦୁଝର ଜିଲ୍ଲାର ଚାଷୀମାନେ ବ୍ଲକ ସମ୍ମୁଖରେ ଟମାଟୋ ଢାଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାଳିଆ ପ୍ରଚାର ହୋଡିଂ ସାମ୍ନାରେ ଚାଷୀମାନେ ଟମାଟୋ ଫିଙ୍ଗିବା କୌତୁହଳର ବିଷୟ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଦୀର୍ଘ ୧୯ ବର୍ଷର ସ୍ଥାୟୀ ଓ ସ୍ଥିର ସରକାର ଏକ ପ୍ରଚାର ସର୍ବସ୍ୱ ସରକାର ଏହା ଗଣମାଧ୍ୟମରେ ପ୍ରକାଶିତ ଫଟୋଚିତ୍ର ସ୍ଥିତିକୁ ସ୍ପଷ୍ଟ କରୁଛି । ଜାଣିବାକୁ ମିଳିଲା ଗତ ବର୍ଷ ଏହି ଅଂଚଳର ଚାଷୀମାନେ ମଧ୍ୟ ଟମାଟୋର ମୂଲ୍ୟ ନ ମିଳିବାରୁ ରାସ୍ତାରେ ଫିଙ୍ଗି ପ୍ରତିବାଦ କରିଥିଲେ । ଲାଗୁଛି ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ୧୯ ବର୍ଷ ବହୁତ ହୋଇଗଲା । ଏବେ ରାଜ୍ୟ ସରକାରକୁ ବଦଳାଇବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, କିଛି ଖବର କାଗଜରେ ଚାଷୀମାନେ ନିଜ ଝାଳ ବୁହା ପରିଶ୍ରମରେ ଉତ୍ପାଦନ କରିଥିବା ଟମାଟୋ ରାଜରାସ୍ତାରେ ଢାଳୁଥିବା ଖବର ପଢ଼ିଲି । ମାତ୍ର ଏହି ସୂଚନା ସହ ଯେଉଁ ଫଟୋ ଚିତ୍ର ଖବର କାଗଜରେ ପ୍ରକାଶିତ ହୋଇଛି ତାହା ଆହୁରି କୌତୁହଳ ପ୍ରଦ । କାଳିଆ ଯୋଜନା ସମ୍ବନ୍ଧରେ ରାଜ୍ୟ ସରକାର ବହୁ ତୁମ୍ବି ତୋଫାନ କରୁଛନ୍ତି । କେଉଁଝର ଜିଲ୍ଲାର ତେଲକୋଇ ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ଚାଷୀମାନେ ଯେଉଁଠି ପ୍ରଚୁର ମାତ୍ରାରେ ଟମାଟୋ ଢାଳୁଛନ୍ତି ଠିକ୍ ଏହାର ପଛ ପଟେ କାଳିଆ ଯୋଜନାର ପ୍ରଚାର ବ୍ୟାନର ଲାଗିଛି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କର ଅର୍ଥ ବ୍ୟବହାର କରି ଡେରାସର ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ ସରକାର କାହିଁକି ବାଧକ ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲି । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଓ ଏହି ବିଭାଗର ସଚିବ ରାଜ୍ୟ ସରକାର ତୁରନ୍ତ ବ୍ୟୟବରାଦ ହୋଇଥିବା ଟଙ୍କା ନେଇ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧର ଚିଠି ମଧ୍ୟ ଏ ସମ୍ବନ୍ଧିତ ପୁସ୍ତିକାରେ ସ୍ଥାନିତ କରି ଗଣମାଧ୍ୟମ ମାଧ୍ୟମରେ ସାର୍ବଜନୀନ କରିଥିଲି । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ହୋଇଥିଲେ ରାଜ୍ୟର ଚାଷାୀମାନେ ସେମାନଙ୍କର କଷ୍ଟ ଅର୍ଜିତ ଅମଳକୁ ପ୍ରତିବାଦ କରି ଫିଙ୍ଗି ଦେବା ବଦଳରେ ଉଚିତ ମୂଲ୍ୟ ପାଇଥାନ୍ତେ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ୨୦୧୪ ମସିହା ନିର୍ବାଚନ ଇସ୍ତାହାରରେ ଶାସକ ବିଜୁ ଜନତା ଦଳ ରାଜ୍ୟର ସବୁ ବ୍ଲକରେ ଅନ୍ୟୂନ ଗୋଟିଏ ଶୀତଳ ଭଣ୍ଡାର ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶୀତଳ ଭଣ୍ଡାର ତ ହେଲା ନାହିଁ ମାତ୍ର ଯେଉଁ ଓଡ଼ିଆ ଉଦ୍ୟମୀମାନେ ଶୀତଳ ଭଣ୍ଡାର କରିଥଲେ ଏବେ ସେମାନଙ୍କର ଶୀତଳ ଭଣ୍ଡାରଗୁଡ଼ିକୁ ବନ୍ଦ କରି ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ମିଳୁ ନ ଥିବା ସୁବିଧା ଦାବିରେ ଆନ୍ଦୋଳନ କରିଥିଲେ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଆଳୁ ମିଶନ, ପିଆଜ ମିଶନର ବଡ଼ ଯୋଜନାର ବଡ଼ ବିଫଳତା ପଛରେ ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଅଭାବ ରାଜ୍ୟ ସରକାର ଜାଣିଛନ୍ତି । ମାତ୍ର ଗୋଟିଏ ସ୍ଥାଣୁ ଅପାରଗ ଓ ଚଷା ଚାଷୀଙ୍କ ପ୍ରତି ସମ୍ବେଦନହୀନ ସରକାରଠାରୁ ଅଧିକ ଅପେକ୍ଷା କରିବା ଅମୂଳକ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.