ଜିଲ୍ଲା

ଋଣବୋଝ: କୀଟନାଶକ ପିଇ ଯୁବଚାଷୀଙ୍କ ଆତ୍ମହତ୍ୟା

ବିଜେପୁର,: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ସାନବାଉଁସେନ ପଂଚାୟତର ମୁଣ୍ଡୋମହୁଲ ଗ୍ରାମରେ ଶନିବାର କୀଟନାଶକ ପିଇ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାତ୍ରାଧିକ ଋଣ ବୋଝ ଏବଂ ଚଳିତ ଖରିଫ ଫସଲ ଉଜୁଡ଼ିବା କାରଣରୁ ମାନସିକ ଭାରସାମ୍ୟ ହରାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଶଶିକାନ୍ତ ରଣାଙ୍କ ପୁଅ ସୁନନ୍ଦ ରଣା (୨୩)। ଶନିବାର ସକାଳ ପ୍ରାୟ ୧୦ଟାରେ ସେ ଘରେ ରଖାହୋଇଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ବର୍ଗ ତାଙ୍କୁ ତୁରନ୍ତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ବରଗଡ଼ ଡାକ୍ତରଖାନା ଏବଂ ପରେ ବୁର୍ଲା ହସପିଟାଲକୁ ନେଇଥିଲେ। ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ସୁନନ୍ଦ ପରିବାରର ମୁଖ୍ୟ ଏବଂ ଏକମାତ୍ର ପୁଅ ଥିଲେ। ସୁନନ୍ଦଙ୍କ ବାପା ଶଶିକାନ୍ତ ସରଳ ବ୍ୟକ୍ତି ଅଟନ୍ତି। ଫଳରେ ପରିବାରର ସବୁ ବୋଝ ସୁନନ୍ଦ ମୁଣ୍ଡାଉଥିଲେ। ଅର୍ଥାଭାବ କାରଣରୁ ସେ ପାଠପଢା ଛାଡିଦେଇ ତାଙ୍କ ସମୟ ଚାଷରେ ବ୍ୟୟ କରୁଥିଲେ। ୮ ଏକର ପୈତୃକ ଜମିବାଡ଼ି ରହିଥିବା ବେଳେ ୨୦୧୫ ଖରିଫ ସମୟରେ ମରୁଡ଼ି କାରଣରୁ ଧାନ ପାଇ ନଥିବା ବେଳେ ଚଳିତ ଖରିଫ ଫସଲ ମଧ୍ୟ ତାଙ୍କର ନଷ୍ଟ ହେଉଥିବା ଦେଖି ସୁନନ୍ଦ ମାନସିକ ଭାରସାମ୍ୟ ହରାଇଥିଲେ। ଚାଷ ପାଇଁ ଆଣିଥିବା ଋଣର ପରିଶୋଧ ପାଇଁ ସେ ଚାପଗ୍ରସ୍ତ ଥିବାରୁ ସେ ଆତ୍ମହତ୍ୟା କଲେ ବୋଲି ତାଙ୍କ ପରିବାର ବର୍ଗ, ଗ୍ରାମବାସୀ, ସ୍ଥାନୀୟ ସରପଂଚ, ୱାର୍ଡ ମେମ୍ବର ପ୍ରମୁଖ ଅଭିଯୋଗ କରିଛନ୍ତି।
୨୦୧୨ରେ ନିଜ ଭଉଣୀ ବାହାଘର ପାଇଁ ସୁନନ୍ଦ ନିଜ ଗାଁରୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଋଣ କରିଥିବା ବେଳେ ସମବାୟ ସମିତିରୁ ୮୦ ହଜାର ଟଙ୍କା ଋଣ କରିଛନ୍ତି। ଆରୋହଣ ନାମକ ମାସିକ ଫାଇନାନ୍ସ ଗ୍ରୁପ୍‌ରୁ ୨୦ ହଜାର ଟଙ୍କା କିଛିଦିନ ତଳେ ଉଠାଇଥିଲେ। ଅନ୍ୟପକ୍ଷରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ତାଳପଦର ଶାଖାରୁ ସେ ନେଇଥିବା ପୁରୁଣା ଲୋନରୁ ୧୩ ହଜାର ଟଙ୍କା ବହୁ କଷ୍ଟରେ ପରିଶୋଧ କରିବା ପରେ ନୂଆଁ ଋଣ ପାଇବା ପାଇଁ ୪ ମାସ ହେବ ବ୍ୟାଙ୍କକୁ ବାରୁମ୍ବାର ଦୈାଡ଼ିଥିଲେ ସୁଦ୍ଧା ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ କୈାଣସି ଋଣ ଦେଇ ନଥିବାରୁ ସେ ଅଧିକ ଭାଙ୍ଗି ପଡ଼ିଥିଲେ ବୋଲି ଜଣାଯାଇଛି। ଚଳିତ ବର୍ଷ ସୁନନ୍ଦ କିଛି ଋଣ ପରିଶୋଧ କରିବା ଆଶାରେ ଦେଢ ଲକ୍ଷ ଇଟା ଗଢ଼ାଇଥିଲେ। ତାହା ମଧ୍ୟ ଠିକ ଭାବେ ପୋଡି ନ ଥିବାରୁ ସେ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ। ଚାଷୀ ସୁନନ୍ଦଙ୍କ ମୃତ୍ୟୁରେ ଅଂଚଳରେ ଶୋକ ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button