March 24, 2023

ଆଜିଠୁ ଆରମ୍ଭ ହେବ ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୧୯

1 min read
Enterprise-Odisha-Start-from-today-Aajira-Odisha

ଆଓରି-ଭୁବନେଶ୍ଵର(୧୩/୧୧) : ବୁଧବାରଠାରୁ ଏଣ୍ଟରପ୍ରାଇଜ୍‌ ଓଡିଶା ୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ପ୍ରଦର୍ଶନୀ ପଡିଆଠାରେ ଚଳିତମାସ ବୁଧବାର ୧୩ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରର ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଣ୍ଟରପ୍ରାଇଜ୍‌ ଓଡିଶାର ଏହି ୨୨ତମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଚଳିତବର୍ଷ ଏଣ୍ଟରପ୍ରାଇଜ୍‌ ଓଡିଶାର ଥିମ୍‌ ଇଣ୍ଡିଆ@୭୫କମ୍ପିଟିଟିଭ୍‌ନେସ୍‌ ଅଫ୍‌ ଓଡିଶା ଇନ୍‌କର୍ପୋରେଟିଂ ଇନୋଭେଟିଭ୍‌ ଆଣ୍ଡ୍‌ ଟେକ୍ନୋଲୋଜି ରହିଛି। ଓଡିଶାକୁ ଏକ ପ୍ରମୁଖ ଖନନ ରାଜ୍ୟ ଭାବେ ଗୁରୁତ୍ବ ଦେଇ କାର୍ଯ୍ୟକ୍ରମ ସ୍ଥଳର ଗୋଟିଏ ସ୍ଥାନରେ ଓଡିଶା ମାଇନିଂ ଏବଂ ଇନୋଭେକ୍ସ ଓଡିଶାର ପ୍ରଦର୍ଶନୀ ସ୍ଥାନ ପାଇବ। ଚଳିତଥର ଏଣ୍ଟରପ୍ରାଇଜ୍‌ ଓଡିଶାର ୪ଟି ହ୍ୟାଙ୍ଗରରେ ୨୦୦ ଷ୍ଟଲ ସ୍ଥାନ ପାଇବ। ୨୦,୦୦୦ ବର୍ଗ ମିଟରର ଏହି ପ୍ରଦର୍ଶନୀ ଅଞ୍ଚଳରେ ଷ୍ଟାର୍ଟ ଅପ୍‌ଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ୫୦ ଷ୍ଟଲ ରହିବ।

ଏଣ୍ଟରପ୍ରାଇଜ୍‌ ଓଡିଶାରେ ବିଶେଷ କରି ଷ୍ଟାର୍ଟ ଏବଂ ନୂତନ ଉତ୍ପାଦର ପ୍ରବର୍ତ୍ତନ କରୁଥିବା ଉଦ୍ୟୋଗୀଙ୍କ ପାଇଁ ଚଳିତଥର ସ୍ବତନ୍ତ୍ର ଭାବେ ୱାଇ ଇନୋଭକ୍ସ ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ଅଧିବେଶନରେ ଷ୍ଟାର୍ଟ ଅପ୍‌ମାନେ ସମ୍ଭାବ୍ୟ ନିବେଶକଙ୍କୁ ଭେଟିପାରିବେ। ପ୍ରଦର୍ଶନୀରେ ଧାତବ, ଖଣିଜ ଏବଂ ଶକ୍ତି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ଡିଫେନ୍ସ ମାନୁଫାକଚରିଂ, ନିର୍ମାଣ ଉପକରଣ, ଆଇଟି, ଆଇଟିଇଏସ୍‌ ଏବଂ ଇଏସ୍‌ପିଏମ୍‌, ଶିକ୍ଷା, ରିୟଲ ଇଷ୍ଟେଟ୍, ଷ୍ଟାର୍ଟ ଅପ୍‌, ପର୍ଯ୍ୟଟନ, ବୟନ ଶିଳ୍ପ ଓ ପୋଷାକପତ୍ର, ଅଟୋମୋବାଇଲ କ୍ଷେତ୍ର ଆଦି କ୍ଷେତ୍ରର କମ୍ପାନୀ ଚଳିତବର୍ଷ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। ଆହୁରିମଧ୍ୟ ଏଥିରେ ଉଦ୍ୟୋଗିକ ଏବଂ ନିର୍ମାଣ ଉପକରଣ, ସ୍ବାସ୍ଥ୍ୟ, ବ୍ୟାଙ୍କ, ବୀମା, ଆର୍ଥିକ ପ୍ରତିଷ୍ଠାନ, ଏଫ୍‌ଏମ୍‌ସିଜି ଓ ଏଫ୍‌ଏମ୍‌ସିଡି, ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ରିଅଲ ଇଷ୍ଟେଟ୍, ଅଟୋମୋବାଇଲ କ୍ଷେତ୍ରକୁ ବିସ୍ତୃତ ଭାବେ ପ୍ରଦର୍ଶନ କରାଯିବ।

ଏଣ୍ଟରପ୍ରାଇଜ୍‌ ଓଡିଶାରେ ହେବାକୁ ଥିବା ବି-ଟୁ-ଜି ଅଧିବେଶନ ବ୍ୟବସାୟିକ ନେଟୱର୍କକୁ ସୁଦୃଢ କରିବା ସହ ରାଜ୍ୟରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ଏବଂ ବିଭିନ୍ନ ଆଡୁ ନିବେଶ ଆକୃଷ୍ଟ କରିବାରେ ସହାୟକ ହେବ। ଏଥିରେ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନଗୁଡିକ ଅଂଶଗ୍ରହଣକାରୀଙ୍କୁ ସରକାରଙ୍କ ଦ୍ବାରା ସ୍ଥିର କରାଯାଇଥିବା ନୀତି ସମ୍ପର୍କରେ ମତ ରଖିବା ଏବଂ ଆଲୋଚନା ପାଇଁ ଏକ ସୁଯୋଗ ଦେବ। ଏହି ପ୍ରଦର୍ଶନୀ ବିଜ୍‌ନେସ୍‌ ନେଟୱର୍କିଂ, ସରକାରୀ ଅନୁ​ମୋଦନ ଏବଂ ବ୍ୟବସାୟିକ ସହଯୋଗିତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ଶ୍ରେଷ୍ଠ ପ୍ଲାଟଫର୍ମ ବୋଲି ସିଆଇଆଇ ପୂର୍ବାଞ୍ଚଳ କ୍ଷେତ୍ରର ଅଧ୍ୟକ୍ଷ ତଥା ବନ୍ଧନ ବ୍ୟାଙ୍କ ପ୍ରତିଷ୍ଠାତା, ଏମ୍‌ଡି ଓ ସିଇଓ ସି.ଏସ୍‌. ଘୋଷ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.