May 8, 2024

ଚଣ୍ଡିଖୋଲରେ ନିର୍ମାଣ ହେବ ଦେଶର ଚତୁର୍ଥ ଜରୁରୀକାଳୀନ ତୈଳ ଭଣ୍ଡାର

1 min read
OIL Storage

ଆଓରି-ନୂଆଦିଲ୍ଲୀ(୨୭/୬) : ଓଡ଼ିଶାର ଚଣ୍ଡିଖୋଲଠାରେ ନିର୍ମାଣ ହେବ ଜରୁରୀକାଳୀନ ତୈଳ ଭଣ୍ଡାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଚଣ୍ଡିଖୋଲରେ ଜରୁରୀକାଳୀନ ତୈଳ ଭଣ୍ଡାର ନିର୍ମାଣ ପାଇଁ ଗତ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ ।

ଏହି ତୈଳ ଭଣ୍ଡାରର ଧାରଣ କ୍ଷମତା ୪ ନିୟୁତ ମେଟ୍ରିକ ଟନ ରହିବ । ପୂର୍ବରୁ ବିଶାଖପାଟଣା, ମାଙ୍ଗାଲୋର ଓ ପାଦୁରଠାରେ ଜରୁରୀକାଳୀନ ତୈଳ ଭଣ୍ଡାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏବେ ଭାରତର ଜରୁରୀକାଳୀନ ତୈଳ ଭଣ୍ଡାର କ୍ଷମତା ୫ ନିୟୁତ ମେଟ୍ରିକ ଟନ ଥିବାବେଳେ, ଆଜି ମଂଜୁରୀ ପାଇଥିବା ଦୁଇଟିଯାକ ଭଣ୍ଡାରର (ଅନ୍ୟଟି କର୍ଣ୍ଣାଟକର ପାଦୁରଠାରେ ୨.୫ ନିୟୁତ କ୍ଷମତା ମେଟ୍ରିକ ଟନ) ମିଳିତ କ୍ଷମତା ୬.୫ ନିୟୁତ ଟନ ରହିବ । ଫଳରେ ଭାରତର ମୋଟ ଜରୁରୀକାଳୀନ ତୈଳ ଭଣ୍ଡାର ଧାରଣ କ୍ଷମତା ୧୧.୫ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି ପାଇବ ।

ଜରୁରୀକାଳୀନ ତୈଳ ଭଣ୍ଡାର ଗୋଟିଏ ଦେଶର ଜରୁରୀକାଳୀନ ତୈଳ ଆବଶ୍ୟକତା ପୂରଣ କରେ । ଯୁଦ୍ଧ କିମ୍ବା ପ୍ରାକୃତିକ ଦୁର୍ବିପାକ ପରିସ୍ଥିତିରେ ଭାରତକୁ ତେଲ ଆସିନପାରିଲେ ଏହି ତୈଳ ଭଣ୍ଡାରକୁ ବ୍ୟବହାର କରାଯିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.