ସରିଲା ନିର୍ବାଚନୀ ପ୍ରଚାର : ଆସନ୍ତା ୨୦ତାରିଖରେ ମତଦାନ
1 min read
ଆଓରି-ଭୁବନେଶ୍ଵର(୧୮/୦୭) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୨୦ ତାରିଖ (ଶନିବାର) ଦିନ ଏହି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ନିରପେକ୍ଷ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ମତଦାନ ପାଇଁ ୩୦୯ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି । ଏଠାରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡ଼ିଂ ଓ ୪ ଜଣ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ମତଦାନ ପାଇଁ ପାଟକୁରାର ବିଭିନ୍ନ ବୁଥକୁ ଇଭିଏମ ପଠା କାର୍ଯ୍ୟ ଆରମ୍ଭ ହୋଇଛି । ଏହାସହ କର୍ମଚାରୀଙ୍କୁ ମଧ୍ୟ ନିଜ ନିଜ ବୁଥକୁ ପଠାଯାଇଛି । ମୋଟ୍ ୨ଲକ୍ଷ ୪୭ ହଜାର ୭୪୭ ଜଣ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ, ୧ ଲକ୍ଷ ୭ ହଜାର ୩୦୬ ଜଣ ମହିଳା ଏବଂ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।
ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁସାରେ ୯୬-ପାଟକୁରା ବିଧାନସଭା ଆସନରେ ମତଦାନ ବେଳେ ଭୋଟରଙ୍କ ବାମ ହାତର ମଧ୍ୟମା ଆଙ୍ଗୁଳିରେ ଅଲିଭା କାଳି ଲଗାଯିବ। ଯଦି କୌଣସି ବୁଥରେ ପୁନଃ ମତଦାନ ହେବ ତେବେ ଅନାମିକା ଆଙ୍ଗୁଳିରେ ଅଲିଭା କାଳି ଲଗାଯିବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।
ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ମୁହୂର୍ତ୍ତରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଇଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ଓ କଂଗ୍ରେସର ଜୟନ୍ତ କୁମାର ମହାନ୍ତିଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ଵନ୍ଦିତା ହେବ। ତେବେ ମୋଟ୍ ୧୦ ଜଣ ପ୍ରାର୍ଥୀ ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ କାରଣରୁ ପାଟକୁରା ବିଧାନସଭା ଆସନରେ ମତଦାନ ସ୍ଥଗିତ ରହିଥିଲା । ଆସନ୍ତା ୨୪ ତାରିଖରେ ମତଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ।