ଜାତୀୟ

ସିରିଆରେ ରାସାୟନିକ ଆକ୍ରମଣ: ୧୬୦ ରୁ ଉର୍ଦ୍ଧ ମୃତ

ଆଜିର ଓଡିଶା (ତା୯|୪)-ସିରିଆର ପୂର୍ବାଞ୍ଚଳ ଘୋଉଟାରେ ରାସାୟନିକ ଅସ୍ତ୍ର ଆକ୍ରମଣରେ ରବିବାର ଅନ୍ୟୁନ ୭୦ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସପ୍ତାହକ ମଧ୍ୟରେ ମୃତ୍ୟୁସଂଖ୍ୟା ୧୮୦ରେ ପହଞ୍ଚିଛି । ରାସାୟନିକ ଅସ୍ତ୍ର ଆକ୍ରମଣରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀ ସଂଗଠନ ‘ହ୍ୱାଇଟ ହେଲମେଟ୍‌’ ମୁଖ୍ୟ ଏକ ଟ୍ୱିଟ୍‌ କରି ରାସାୟନିକ ଅସ୍ତ୍ର ଆକ୍ରମଣରେ ଅନେକ ଲୋକ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଠ ଅନୁଭବ କରୁଥିବା ଉଲ୍ଲେଖ କରିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହାସହ ଅନେକ ମୃତ ଦେହ ମାଟିତଳ ଗୃହରେ ଓ ଏଣେ ତେଣେ ପଡିଥିବା ଦେଖିବାକୁ ମିଳୁଛି। ବିଶ୍ୱ ସମୁଦାୟ ଏଥିପ୍ରତି ଧ୍ୟାନ ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଘୋଉଟା ଏକମାତ୍ର ସହର ଭାବେ ବିଦ୍ରୋହୀଙ୍କ କବ୍‌ଜାରେ ଅଛି । ସେଠାରେ ଏକ ଟିଭି ଚ୍ୟାନେଲ ଦ୍ୱାରା ବିଦ୍ରୋହୀଙ୍କ ସମର୍ଥକମାନେ ସୂଚନା ଦେଇଛନ୍ତି ଯେ ଏକ ହେଲିକପ୍ଟର ଯୋଗେ ରାସାୟନିକ ବୋମା ପକା ଯାଇଥିଲା । ଏପର୍ଯ୍ୟନ୍ତ ରାସାୟନିକ ଅସ୍ତ୍ର ଆକ୍ରମଣରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଥିବା ମାନବାଧିକାର କର୍ମୀ ସୂଚନା ଦେଇଛନ୍ତି । ରାସାୟନିକ ଅସ୍ତ୍ର ଶିକାର ଲୋକଙ୍କ ମୁହଁରୁ ଫେଣ ବାହରୁଥିବା ଓ ଦେହରେ ବିଭିନ୍ନ ଦାଗ ପଡୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ସିରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଘୋଉଟାକୁ ସେନା ଖୁବଶୀଘ୍ର ବିଦ୍ରୋହୀଙ୍କ କବଳରୁ ମୁକ୍ତ କରିବାକୁ ଯାଉଛି । ସେନାକୁ ରୋକିବାରେ ବିଦ୍ରୋହୀମାନେ ବିଫଳ ହୋଇଛନ୍ତି । ପରାଜୟର ଦ୍ୱାରଦେଶରେ ପହଞ୍ଚିବା ଦେଖି ବିଦ୍ରୋହୀମାନେ ମିଥ୍ୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ କଥା ପ୍ରଚାର କରୁଛନ୍ତି । ଗତ ସପ୍ତାହରେ ଘୋଉଟାରେ ରାସାୟନିକ ଅସ୍ତ୍ର ଆକ୍ରମଣରେ ୧୧ ଶିଶୁଙ୍କୁ ମିଶାଇ ୫୮ ଲୋକଙ୍କ ମୃତ୍ୟୁ ଘଟିଥିଲା । ସିରିଆ ସରକାର ଏହି ରାସାୟନିକ ଅସ୍ତ୍ର ଆକ୍ରମଣ କରିଥିବା ୟୁରୋପୀୟ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେହି ସମୟରେ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ କାଳୀନ ବୈଠକ ଡାକିବାକୁ ଦାବି କରିଥିଲା । ତୁର୍କି ଓ ରୁଷିଆ ଏନେଇ ଆଲୋଚନା କରିଥିଲେ । ମାତ୍ର ସିରିଆ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button