ବିଶେଷ

ଝାରସୁଗୁଡ଼ାରେ ରାସ୍ତାକଡ଼ରେ ବିକୁଥିଲେ ସିଙ୍ଗଡ଼ା, ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶଶିକାନ୍ତ !

ଆଓରି-ଝାରସୁଗୁଡ଼ା (୨୮/୦୮): ଗୋଟିଏ ପଟେ ପେଟ ପାଇଁ ଚିନ୍ତା ଅନ୍ୟପଟେ ପାଠ ପଢ଼ିବାର ମୋହ ଉଭୟକୁ ସାମ୍‌ନା କରି ଶେଷରେ ସଫଳତାର ସ୍ବାଦ ଚାଖିବାରେ ସଫଳ ହୋଇଛନ୍ତି ଶଶିକାନ୍ତ। ନିଜ ପାରିବାରିକ ବ୍ୟବସାୟରେ ସମୟ ଦେବା ସତ୍ତ୍ବେ ପାଠ ପଢ଼ି ଇଷ୍ଟିଚ୍ୟୁଟ ଅଫ୍‌ ଚାଟାର୍ଡା ଆକାଉଣ୍ଟସ୍‌  ଅଫ୍‌ ଇଣ୍ଡିଆରୁ ସିଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଛନ୍ତି ଶଶିକାନ୍ତ ଶର୍ମା। ଫଳରେ ବନି ପାରିଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ।

ଶଶିକାନ୍ତ ଶର୍ମା ହେଉଛନ୍ତି ଝାରସୁଗୁଡ଼ା ମାରୱାଡ଼ି ପଡ଼ାର ମହେଶ ଚନ୍ଦ୍ର ଶର୍ମା ଓ ଶ୍ରୀମତୀ ଇନ୍ଦିରା ଦେବୀଙ୍କ ଦ୍ବିତୀୟ ପୁତ୍ର। ମହେଶଙ୍କ ଆର୍ଥିକ ସ୍ବଚ୍ଛଳତା ନ ଥିଲା। ସେ  ପୂଜାପାଠ କରି ଯାହା ଦି’ପଇସା ରୋଜଗାର କରନ୍ତି। ତାଙ୍କ ବଡ଼ ପୁଅ ମନୋଜ ଶର୍ମା ଝଣ୍ଡାଚୌକ ନିକଟ ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ଠେଲାରେ ସିଙ୍ଘଡ଼ା ପ୍ରସ୍ତୁତ କରି ବିକ୍ରି କରନ୍ତି। ଆଉ ଏହି ଠେଲାରୁ ବିକ୍ରି ହେଉଥିବା ସିଙ୍ଗଡ଼ାର ଲାଭ ଆୟ ହେଉଛି ପରିବାର ଚଳିବାର ମୁଖ୍ୟ ମାଧ୍ୟମ।

ପ୍ରତିଦିନ ସିଙ୍ଗଡ଼ା ପ୍ରସ୍ତୁତି ପାଇଁ ସକାଳୁ ରାତ୍ରି ପର୍ଯ୍ୟନ୍ତ ପରିବାରର ପ୍ରାୟ ସମସ୍ତେ ହାତ ଲଗାଇ ଥାନ୍ତି। ଏଥିରେ ଶଶିକାନ୍ତ ମଧ୍ୟ ଭାଇ ମନୋଜଙ୍କ ସହିତ ଠେଲାରେ ସିଙ୍ଗଡ଼ା ବିକିବା କାମରେ ସହାୟତା କରିଥାନ୍ତି। ଭାଇ ନ ଥିଲା ବେଳେ ଶଶିକାନ୍ତ ନିଜେ ଘରୁ ଠେଲା ନେଇ ବାହାରି ପଡ଼ନ୍ତି ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ। ପେଟ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼େ ଏହି ପରିବାରକୁ । ଘରର ଏଭଳି ପରିସ୍ଥିତି ଯୋଗୁଁ ବଡ଼ ପୁଅ ମାତ୍ର ନବମ ଶ୍ରେଣୀରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସାନ ପୁଅ ଶଶିକାନ୍ତ ମଧ୍ୟ ପାଠ ପଢ଼ା ପାଇଁ ସେତିକି ସମୟ ପାଇ ପାରୁନଥିଲେ। ମାରୱାଡ଼ି ସ୍କୁଲରେ ପ୍ରାଥମିକ, ଟାଉନ ହାଇସ୍କୁଲରେ ମାଟ୍ରିକ୍‌ ଓ ଲକ୍ଷ୍ମୀନାରାୟଣ କଲେଜରୁ ବାଣିଜ୍ୟରେ ସ୍ନାତକ ପରେ ଶଶିକାନ୍ତ କଣ କରିବ‌େ କିଛି ଭାବି ନଥିଲେ। ଭାବିଥିଲେ ସେହି ଠେଲାରେହିଁ ସମୟ ଦେବେ। ତେବେ ତାଙ୍କର ଜଣେ ‌ଶୁଭେଚ୍ଛୁ ତାଙ୍କୁ ଚାଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ପ୍ରବର୍ତ୍ତାଇ ଥିଲେ। ମାତ୍ର ଏଥିପାଇଁ ହଜାର ହଜାର ଟଙ୍କାର ଆବଶ୍ୟକତା ଥିବାରୁ ହଠାତ୍ ସାହସ ଜୁଟାଇ ପାରି ନ ଥିଲେ ମଧ୍ୟ ପରେ ଏହାକୁ ଗ୍ରହଣ କରିଥିଲେ।  ମାତ୍ର ଇଚ୍ଛାଶକ୍ତି ଓ ଅଧ୍ୟବସାୟ ତାଙ୍କର ସବୁ ସମସ୍ୟାକୁ ପଛରେ ପକାଇ ଦେଇଥିଲା। ବଡ଼ଭାଇ ମନୋଜ ପରିଶ୍ରମ କରି ସାନଭାଇର ପାଠପଢ଼ା ଖର୍ଚ୍ଚ ସଂପୂର୍ଣ୍ଣ ବହନ କରିଥିଲେ।

ଏହା ପରେ ଶଶିକାନ୍ତ ପାଠ ପଢ଼ାରେ ଲାଗି ପଡ଼ିଥିଲେ। ବାରମ୍ବାର ଅସଫଳତା ସତ୍ତ୍ବେ ସେ ପରାଜୟ ସ୍ବୀକାର ନ କରି ଆଗେଇ ଚାଲିଥିଲେ। ଫଳ ସ୍ବରୂପ ସେ ଏବେ ସିଏ ପରୀକ୍ଷାରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଏହି ଶ୍ରେୟ ପଛରେ ତାଙ୍କ ଭାଇଙ୍କ ମୁଖ୍ୟ ଅବଦାନ ରହିଛି ବୋଲି ଶଶିକାନ୍ତ କହନ୍ତି। ଖରା, ବର୍ଷା, ଶୀତ ସବୁ ବେଳେ ରାସ୍ତା କଡ଼ରେ ଠେଲାରେ ସିଙ୍ଗଡ଼ା ବିକ୍ରିକରି ଅନେକ କଷ୍ଟ ସ୍ବୀକାର କରୁଥିଲେ ମଧ୍ୟ ମନୋଜ ଭାଇର ସଫଳତା ପାଇଁ ବେଶ ଖୁସି। ପରିବାରରେ ବାପା-ମା ମଧ୍ୟ ଆନନ୍ଦିତ। ଇଚ୍ଛାଶକ୍ତି ଓ ଅଧ୍ୟାବସାୟ ଆଗରେ ସବୁ ପ୍ରତିବନ୍ଧକ ହାର ମାନିଥାଏ ବୋଲି ଶଶିକାନ୍ତ କୁହନ୍ତି। ସ୍କୁଲ କଲେଜରେ ସେ ଜଣେ ସାଧାରଣ ଛାତ୍ର ଥିବା ବେଳେ ଇଂରାଜୀ ପଢ଼ିବା ବା ବୁଝିବାରେ ମଧ୍ୟ ସେ ସକ୍ଷମ ନ ଥିବା କୁହନ୍ତି। ତେବେ ପାଠ ପଢ଼ିବାରେ ମନକୁ ଦୃଢ଼ କରିବା ପରେ ସେ ସବୁ ସମସ୍ୟାରୁ ମୁକୁଳି ପାରୁଥିବା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button