ରାଜ୍ୟ

ବାଘୁଣୀ ସୁନ୍ଦରୀର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ ନେଇ ଚିନ୍ତା ; କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୩/୧୦) : ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଅନୁଗୋଳ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛି। ତେଣୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ସ୍ଥାନୀୟ ଲୋକଙ୍କ ଜୀବନକୁ ସୁରକ୍ଷିତ କରାଯିବା ସହ ସେମାନଙ୍କ ମନରୁ ଭୟ ଦୂର ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ସୋମବାର ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ, ବାଘୁଣୀ ସୁନ୍ଦରୀ ଏବେ ସମ୍ପୃକ୍ତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଲାଗି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଉପଦେଷ୍ଟା ଦିଲେଶ୍ୱର ପ୍ରଧାନ ତାଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ। ବାଘୁଣୀ ଗତ ଦୁଇ ମାସ ଧରି ସାତକୋଶିଆରେ ମଣିଷଙ୍କୁ ଆକ୍ରମଣ କରିବା ସହ ଗୃହପାଳିତ ପଶୁକୁ ମଧ୍ୟ ଶିକାର କରୁଛି। ତେଣୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ବସବାସ କରୁଥିବାବେଳେ ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି। ତେଣୁ ସୁନ୍ଦରୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରି ଏଠାରୁ ନେବା ପାଇଁ ସମିତି ଉପଦେଷ୍ଟା ଉକ୍ତ ପତ୍ର ମାଧ୍ୟମରେ ତାଙ୍କୁ ଜଣାଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button