ରାଜନୀତି

ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ନୀତି ଆୟୋଗ ବୈଠକକୁ ଓଡ଼ିଶାର ବର୍ଜନ ନେଇ ପୁଣି ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖିଛନ୍ତି ଶ୍ରୀ ପ୍ରଧାନ। ବିଭିନ୍ନ ମାପକାଠିରେ ଦେଶର ପଛୁଆ ଥିବା ୧୧୫ଟି ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିରେ ଓଡ଼ିଶାର ୮ଟି ଜିଲ୍ଲାକୁ ସାମିଲ୍‌ କରାଯାଇଛି। କିନ୍ତୁ ଓଡ଼ିଶା ସରକାର ଏଥିରେ ସହମତି ହୋଇ ନ ଥିଲେ। ଏ ସଂକ୍ରାନ୍ତରେ ଗତ ୪-୫ ତାରିଖରେ ନୀତି ଆୟୋଗ ଡାକିଥିବା ବୈଠକରେ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗ ଦେବା ପାଇଁ ସରକାର ଅନୁମତି ଦେଇ ନ ଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ସାଧାରଣ ଲୋକ, ଯୁବକ, ମହିଳା, ଦଳିତ, ପଛୁଆ ବର୍ଗ ଓ ଆଦିବାସୀଙ୍କର ବିକାଶ ପାଇଁ ରାଜନୈତିକ ମତପାର୍ଥକ୍ୟ ପ୍ରତିବନ୍ଧକ ସୃଷ୍ଟି ନ କରୁ। ଓଡ଼ିଶାର ୮ଟି ଜିଲ୍ଲା ସମେତ ଦେଶର ୧୧୫ଟି ଆଗକୁ ବଢ଼ିବାକୁ ଚାହୁଁଥିବା ‘ଆକାଂକ୍ଷୀ’ ଜିଲ୍ଲା ସମୂହକୁ ନେଇ ଓଡ଼ିଶାରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ନେଇ ଅହେତୁକ ବିବାଦ ତିଆରି କରାଯାଉଛି। ଶ୍ରୀ ପ୍ରଧାନ ଲେଖିଛନ୍ତି, ‘ମୋର ଆଜି ବି ଅନୁରୋଧ ଆମେ ସମସ୍ତେ ମିଶି ଯଦି ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଚାହାଁନ୍ତି, ତା’ହେଲେ ରାଜନୈତିକ ମତଭେଦରୁ ଉପରକୁ ଉଠି ଲୋକଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ିବ। ଗୁଣ୍ଡୁଚି ମୂଷା ପରି ହେଉ ପଛେ, ସେତୁବନ୍ଧ ନିର୍ମାଣରେ ଟିକେ ବାଲି ଝାଡ଼ିବା ଆମ ସମସ୍ତଙ୍କର ଦାୟିତ୍ୱ।’  ସେ ଆହୁରି କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ଜିଲ୍ଲାର ବେଷ୍ଟ ପ୍ରାକ୍ଟିସ୍‌କୁ ଦେଶର ଅନ୍ୟ ଅଞ୍ଚଳରେ ଲାଗୁ କରିବା ପାଇଁ ପ୍ରୟାସ କରିବା ଓ ଭଲ କାମ କରୁଥିବା ଜଣେ ଜିଲ୍ଲାପାଳଙ୍କୁ ପ୍ରୋତ୍ସାହିତ କରିବା ନିଶ୍ଚିତ ସ୍ୱାଗତଯୋଗ୍ୟ। ଗୋଟିଏ ଜିଲ୍ଲାର କୌଣସି ବ୍ଲକ୍‌ରେ ଗ୍ରାମପଞ୍ଚାୟତ ବା ମ୍ୟୁନିସିପାଲ୍‌ଟି ସ୍ତରରେ ଯଦି ଗୋଟିଏ ଭଲ ମଡେଲ୍‌ ତିଆରି ହୋଇଛି, ତାହାକୁ ଅନ୍ୟ ଅଞ୍ଚଳକୁ ନେବାକୁ ହିଁ ପ୍ରଧାନମନ୍ତ୍ରୀ ପ୍ରଚେଷ୍ଟା କରିଛନ୍ତି। ଟିମ୍‌ ଇଣ୍ଡିଆ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଲକ୍ଷ୍ୟ ହାସଲ କରିବାକୁ ଏକଜୁଟ୍‌ ହେବାକୁ ଏହା ଏକ ପ୍ରଚେଷ୍ଟା ମାତ୍ର।
ଏହା ସହ ଶ୍ରୀ ପ୍ରଧାନ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ନୀତି ଆୟୋଗ ଦ୍ୱାରା ଆୟୋଜିତ ୧୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର ଭିଡିଓ ଲିଙ୍କ୍‌ ପଠାଇବା ସହ ଏହାକୁ ଥରେ ସମୟ କାଢ଼ି ଶୁଣିବା ପାଇଁ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button