ରାଜ୍ୟ

ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୭/୮) : ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା ନେଇ ସୋସିଆଲ୍‌ ମିଡିଆରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶାରେ ପାଖାପାଖି ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଓ ୧୭ ପ୍ରତିଶତ ଅନୁସୂଚିତ ଜାତି ଅଛନ୍ତି। ଏହି ୪୦ ପ୍ରତିଶତ ଜନସାଧାରଣଙ୍କ ବିକାଶର ମଙ୍ଗ ଧରିବାର ଦାୟିତ୍ୱ ବହନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପୂର୍ଣ୍ଣକାଳୀନ ସଚିବ ନାହାନ୍ତି। ଗତ କିଛି ମାସ ଧରି ଅତିରିକ୍ତ ଦାୟିତ୍ୱରେ ଥିବା ଜଣେ ସଚିବଙ୍କ ହାତରେ ୪୦ ପ୍ରତିଶତ ଲୋକଙ୍କ ଭାଗ୍ୟକୁ ବାନ୍ଧି ଦିଆଯିବା ଦୁର୍ଭାଗ୍ୟଜନକ। ଆଦିବାସୀଙ୍କ ସମସ୍ୟା ପ୍ରତି ସରକାର ଉଦାସୀନ ବୋଲି ଭର୍ତ୍ସନା କରିଛନ୍ତି ଶ୍ରୀ ପ୍ରଧାନ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ , ମାଲକାନଗିରି ଜିଲ୍ଲାର ଶିଖପାଲି ପଞ୍ଚାୟତରେ ଏସ୍‌ ଏସ୍‌ ଡି ସେବାଶ୍ରମ ହାଇସ୍କୁଲ୍‌ରେ ଦଶମ ଶ୍ରେଣୀର ଛାତ୍ରୀ ସ୍କୁଲ୍‌ରେ ଆତ୍ମହତ୍ୟା କରିଛନ୍ତି। ସ୍କୁଲ୍‌ର ପ୍ରଧାନ ଶିକ୍ଷକ ବାଳିକାଟିକୁ ବାରମ୍ବାର ଦୁଷ୍କର୍ମ ଏହି ଆତ୍ମହତ୍ୟା ପଛର ମୂଳ କାରଣ ବୋଲି ଜଣାପଡ଼ିଛି। ସରକାରଙ୍କ ଅନୁସୂଚିତ ଜନଜାତିଙ୍କ ପାଇଁ ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା କାହାର ବି ହୃଦୟକୁ ଥରାଇଦେବ। ରାଜ୍ୟର ୪୦ ପ୍ରତିଶତ ଲୋକଙ୍କ ବିକାଶ କଥାକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଆଦିବାସୀ ଉପଦେଷ୍ଟା ପରିଷଦର ବୈଠକ ବର୍ଷକୁ ଦୁଇ ଥର ବସିବା କଥା। କିନ୍ତୁ ୨୦୧୫ ମେ’ ମାସ ପରେ ଦୀର୍ଘ ୩ ବର୍ଷ ବ୍ୟବଧାନରେ ୨୦୧୮ ଜୁନ୍‌ରେ ବୈଠକ ବସିଥିଲା।

ଓଡିଶାରେ ୬୨ଟି ଜନଜାତି ବର୍ଗମାନଙ୍କ ମଧ୍ୟରୁ ୧୩ଟି ଅତିବିପଦଶଙ୍କୁଳ ଆଦିମ ଜନଜାତି ବର୍ଗ ଅଛନ୍ତି । ଦେଶର ମୋଟ ଜନଜାତି ଜନସଂଖ୍ୟାର ୯.୬ ପ୍ରତିଶତ ଓଡିଶାରେ ବସବାସ କରନ୍ତି । ରାଜ୍ୟର ୧୧୯ଟି ବ୍ଲକ୍ ରେ ଜନଜାତି ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ । ଏହି ଅଂଚଳରେ ଗରିବୀ ,ଶିକ୍ଷା , ସ୍ୱାସ୍ଥ୍ୟ ,ଗମନାଗମନ , ମହିଳା ବିକାଶ , ଜୀବନଜୀବିକା ସବୁଠୁବଡ ଆହ୍ୱାନର ସମ୍ମୁଖୀନ । ରାଜ୍ୟରେ ଅନୁସୂଚିତ ଜନଜାତି ବର୍ଗରେ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ରାଜ୍ୟର ହାରାହାରି ଠାରୁ ଯଥେଷ୍ଟ ଉପରେ ରହି ୬୩ ପ୍ରତିଶତରୁ ଅଧିକ ରହିଛି । ସେହିପରି ୫ ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ରକ୍ତହୀନତାର ଶୀକାର ୫୮ପ୍ରତିଶତରୁ ଅଧିକ ରହିଛି । ଏହି ଅଂଚଳରେ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ରାଜ୍ୟ ହାର ଠାରୁ ଯଥେଷ୍ଟ କମ୍ ରହିଛି । ପ୍ରତିଟି ପ୍ରସବରେ ଜନଜାତି ପରିବାରକୁ ଏତେ ସରକାରୀ ଯୋଜନା ଥିବା ସତ୍ୱେ ୩୦୦୦ ଟଙ୍କାରୁ ଊର୍ଦ୍ଧ୍ଵ ଖର୍ଚ୍ଚ କରାଯାଉଥିବା ସରକାରୀ ଭାବେ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button