ଜାତୀୟରାଜ୍ୟ

ରାଷ୍ଟାୟତ୍ତ ଉଦ୍ୟୋଗଙ୍କର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଆଓରି-ଭୁବନେଶ୍ଵର(୧୨/୯) : ଏନ୍‌ଟିପିସି ସମେତ ବିଭିନ୍ନ ରାଷ୍ଟାୟତ୍ତ ଉଦ୍ୟୋଗଙ୍କର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତ ଟାଳଟୁଳ ନୀତି ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପଟରେ ବିଧାନସଭାରେ ବିଜେପି ବିଧାୟକମାନେ ମଧ୍ୟ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ପ୍ରସ୍ତାବିତ ଟିଟିପିଏସ୍‌ ପ୍ରକଳ୍ପ ପ୍ରସଙ୍ଗ ପକାଇ ଅନୁମୋଦନ କରିବାକୁ ନିବେଦନ କରାଯାଇଛି। ଆସନ୍ତା ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ ତାଳଚେର ଯିବାର କାର୍ଯ୍ୟକ୍ରମ ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଟିଟିପିଏସ୍‌ରେ ଆଉ ୧୩୨୦ ମେଗାଓ୍ଵାଟ୍‌ ବିଜୁଳି ଉତ୍ପାଦନ ପାଇଁ ଏନ୍‌ଟିପିସି ବୋର୍ଡରେ ୯୭୮୫ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଭଳି ଏକ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ବିଜେପିର ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଭଳି ଏକ ବଡ ପୁଂଜି ନିବେଶ ପ୍ରସ୍ତାବ ଦୀର୍ଘ ୧୫ ମାସ ଧରି ଝୁଲି ରହିବା ରାଜ୍ୟରେ ପୁଂଜି ନିବେଶ ବାତାବରଣକୁ ଖରାପ କରିବା ସହ ପୁଂଜିନିବେଶକାରୀ ମାନଙ୍କୁ ଖରାପ ବାର୍ତା ଦେବାର ସମ୍ଭାବନା ରହିଛି । ଆଧୁନିକ ଜ୍ଞାନ କୌଶଳ ତଥା ଶସ୍ତାରେ କୋଇଲା ଉପଲବ୍ଧ ହେବା କାରଣରୁ ଏହି ପ୍ରକଳ୍ପରୁ ଓଡ଼ିଶାକୁ କମ ମୂଲ୍ୟରେ ବିଜୁଳି ମିଳି ପାରିବ । ପ୍ରକଳ୍ପ ସପକ୍ଷରେ ଯୁକ୍ତି ରଖି କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏହି ପ୍ରକଳ୍ପର ଗୁରୁତ୍ୱ ଅଧିକ ରହିଛି କାରଣ ଏହି ସ୍ଥାନରେ ଥିବା ପୁରୁଣା ପ୍ରକଳ୍ପ ବହୁ ପୁରାତନ ଓ ପରିବେଶ ଆଇନ ଦୃଷ୍ଟିରୁ ଆଗକୁ ଚାଲୁ ରଖିବାରେ ଆଇନଗତ ସମସ୍ୟା ରହିଛି । ଏହି ନୂଆ ପ୍ରକଳ୍ପ ରାଜ୍ୟର ଅର୍ଥନୀତି ଓ ସ୍ଥାନୀୟ ଅଂଚଳ ପାଇଁ ଗୁରୁତ୍ୱପୂର୍ଣ। ଏଣୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଏହି ପ୍ରକଳ୍ପକୁ ଅନୁମୋଦନ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ସେପଟେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ରବି ନାରାୟଣ ନାୟକ ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଏହି ପ୍ରସଙ୍ଗରେ ବିଧାନସଭାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି, ଏନଟିପିସି ନିକଟ ଅତୀତରେ ୧୩୨୦ ମେଗାଓ୍ଵାଟ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ପରିବେଶ ସୁରକ୍ଷା ବ୍ୟବସ୍ଥା ଅନୁକୂଳ ପ୍ରକଳ୍ପ ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅନୁମତି ଚାହିଁଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଏ ପର୍ଯନ୍ତ ଅନୁମତି ପ୍ରଦାନ କରା ଯାଇ ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଏନଟିପିସି ବୋର୍ଡ ୯୭୮୫ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ପୁଂଜିନିବେଶର ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର ଭୂମି, ଜଳ, ପରିବେଶ ଓ ଅନ୍ୟାନ୍ୟ ବୈଧାନିକ ଅନୁମତି ମିଳି ସାରିଛି । ଏହା ଏକ ବୃହତ ପ୍ରକଳ୍ପ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ହାଇ ଲେଭେଲ କମିଟିର (ଏଚଏଲସି) ଅନୁମୋଦନ ବିନା କାର୍ଯ୍ୟକାରୀ ହୋଇ ପାରିବ ନାହିଁ । ଏପ୍ରିଲ ୧୯ ତାରିଖରୁ ଏନଟିପିସି ତରଫରୁ ଆବେଦନ କରା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନୁମୋଦନ ମିଳି ପାରିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button