କଟକରେ ଡେଙ୍ଗୁ ଆତଙ୍କ
1 min read
ଆଓରି-ଭୁବନେଶ୍ଵର(୦୯/୦୭) : ବଡ଼ ମେଡିକାଲ (ଏସସିବି)ରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ଷା ଦିନ ଆରମ୍ଭରୁ ହିଁ ଡେଙ୍ଗୁ ରୋଗୀଙ୍କ ସୁଅ ଛୁଟିଲାଣି ଏସସିବିକୁ । ସାଧାରଣତଃ ବର୍ଷା ଦିନେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଥାଏ । ରାଜ୍ୟ ଏବଂ ରାଜ୍ୟ ବାହାରୁ ଡେଙ୍ଗୁ ରୋଗୀ ଏସସିବିକୁ ଚିକିତ୍ସିତ ହେବାକୁ ଆସିଥାନ୍ତି । କାରଣ ଏସସିବିରେ ଡେଙ୍ଗୁ ପାଇଁ ସତନ୍ତ୍ର ଓ୍ୱାର୍ଡର ବ୍ୟବସ୍ଥା ରହିଛି । ଚଳିତ ବର୍ଷ ସର୍ବମୋଟ ୨ ହଜାର ୪୩୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬୯ ରୋଗୀଙ୍କ ବ୍ଲଡ୍ରୁ ପଜେଟିଭ୍ ଭୁତାଣୁ ବାହିରିଥିବା ଜଣାପଡ଼ିଛି ।
ସେହିପରି ଗତବର୍ଷ ୧୫ ହଜାର ୩୮୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୩ ହଜାର ୧୫୭ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା । ସେଥିମଧ୍ୟରୁ ୩ ହଜାର ରୋଗୀ ଚିକିତ୍ସିତ ହୋଇଥିଲେ । କେବଳ କଟକ ଜିଲ୍ଲାରୁ ୬୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୪୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ବର୍ଷା ଦିନେ କଟକର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ଥ ଥିବାରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାର ଅନ୍ୟ ଏକ ମୁଖ୍ୟ କାରଣ ହୋଇପଡିଛି ।