ଦିଲ୍ଲୀ ସାରସ୍ଵତ ସଂଘର ୩୬ତମ ବାର୍ଷିକ ଉତ୍ସବ ପାଳିତ
1 min read
ଆଓରି-ନୂଆଦିଲ୍ଲୀ(୮|୭|୧୯) ସଦଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ଵତୀ ପରମହଂସ ଦେବଙ୍କ ପ୍ରତିଷ୍ଠିତ ନୀଳାଚଳ ସାରସ୍ଵତ ସଂଘ, ପୁରୀ ଅନ୍ତର୍ଗତ ଦିଲ୍ଲୀ ସାରସ୍ଵତ ସଂଘର ୩୬ତମ ବାର୍ଷିକ ଉତ୍ସବ ବହୁ ଧୂମଧାମର ସହିତ ଗତ ୬-୭ ଦୁଇ ଦିନ ଧରି ପାଳିତ ହୋଇଯାଇଛି | ନୀଳାଚଳ ସାରସ୍ଵତ ସଂଘ ସଭାପତି ଶ୍ରୀ ସଂଗ୍ରାମ କେଶରୀ ସିଂହ ଓ କେନ୍ଦ୍ର ପରିଚାଳନା ମଣ୍ଡଳୀ ସଦସ୍ୟ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଶ୍ରୀ ଠାକୁରଙ୍କ ଭାବଧାରା ଆଲୋଚନା କରିଥିଲେ | ଗୃହସ୍ଥମାନେ କିପରି ଆଦର୍ଶ ଗୃହୀ ହୋଇପାରିବେ ଏବଂ ଠାକୁରଙ୍କ ଲକ୍ଷ “ସନାତନ ଧର୍ମର ପ୍ରଚାର, ସତଶିକ୍ଷ୍ୟା ବିସ୍ତାର ଓ ଶିବ ଜ୍ଞାନରେ କିପରି ଜୀବ ସେବା କରିବା ନିଜକୁ ବ୍ରତୀ କରିପାରିବେ ୨ ଦିନ ଧରି ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ କେନ୍ଦ୍ର ସଭାପତି ଆଦେଶ ଓ ଉପଦେଶ ଦେଇଥିଲେ | ଭାବଭକ୍ତି ଦ୍ଵାରା କିପରି ଆଜିକାଲିର ଜଟିଳ ଓ ବ୍ୟସ୍ତ ବହୁଳ ଜୀବନ ସରସ ଓ ସୁନ୍ଦର ହୋଇପାରିବେ ଶ୍ରୀ ମହାନ୍ତି ଆଲୋଚନା କରି ସମସ୍ତଙ୍କର ମାନପ୍ରାଣ ଶୀତଳ କରିଥିଲେ | ଭାଷା, ସଂସ୍କୃତି ଓ ଐତିହକୁ ବଜାୟ ରଖିବାକୁ ୬ ତାରିଖ ଦିନ ସନ୍ଧ୍ୟାରେ ଉଭୟ କୁନି ଓ ଯୁବକମାନେ ସେବକମାନେ ଆନନ୍ଦସଭାରେ ଭାଗ ନେଇ ଠାକୁର ତଥା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରିଥିଲେ |

ଦକ୍ଷୀଣ ଦିଲ୍ଲୀ ସାଂସଦ ଶ୍ରୀ ରମେଶ ବିଧୁଡି ଏହି ଉତ୍ସବରେ ଯୋଗ ଦାନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ଦିଲ୍ଲୀ ସାରସ୍ଵତ ସଂଘର ବାର୍ଷିକ ଉତ୍ସବରେ ଯୋଗଦାନ କରି ସଦଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ଏବଂ ଜଗତରେ ବିଶ୍ଵଶାନ୍ତି ପାଇଁ ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ବାଣୀକୁ ପାଥେୟ କଲେ ନିଶ୍ଚୟ ସମ୍ଭବ ହୋଇପାରିବ | ଦିଲ୍ଲୀ ସାରସ୍ଵତ ସଂଘର ସମସ୍ତ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଦେଖି ସେ ସାଧୁବାଦ ଦେଇ ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ |
କାର୍ଯ୍ୟସୂଚୀ ଅନୁସାରେ ଗତ ୭ ତାରିଖ ଦିନ ବ୍ରାହ୍ମ ମୂହୁର୍ତ୍ତରୁ ପ୍ରତୀକ୍ଷା ଓ ଜାଗରଣ ସହିତ ଶ୍ରୀ ଶ୍ରୀ ଠାକୁରଙ୍କ ଷୋଡଶ ଉପଚାର ପୂଜା, ମଙ୍ଗଳ ଆରତୀ, ସ୍ତ୍ଵତ୍ର ବନ୍ଦନା, ବୈଦିକ ପ୍ରାଥର୍ନା, ସମ୍ମିଳନୀ ପ୍ରାର୍ଥନା ଇତ୍ୟାଦି ସହିତ ବାଲ୍ୟପୂଜା ଶେଷ ହୋଇଥିଲା | ଅନ୍ତରଙ୍ଗ ସଭା, ମହିଳା ସଭା, ଆନନ୍ଦସଭା ଓ ସାଧାରଣ ସଭା ଇତ୍ୟାଦି କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା |ଏହି ଉତ୍ସବରେ ଦିଲ୍ଲୀ ସହିତ ଓଡିଶା, ହାଇଦ୍ରାବାଦ, ପୁନେ, ମୁମ୍ବାଇ, ସୁରତ, ବାଙ୍ଗାଲୋର, ପଞ୍ଜାବ, କଲିକତାରୁ ଭକ୍ତମାନେ ଯୋଗଦେଇ ଭାବ-ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଭାବବ୍ୟକ୍ତ କରିଥିଲେ |

ଏହି ଅବସରରେ ଏକ ନୂତନ ଅଫିସ ତଥା ଅଭ୍ୟର୍ଥନା କକ୍ଷ ଏବଂ ଏକ ଅର୍ଗାନିକ ୱେଷ୍ଟ ମ୍ୟାନେଜମେଣ୍ଟ ମେସିନର ସଂଘ ପରିସରରେ ଶୁଭୋଦଘାଟନ ହୋଇଥିଲା | ସଂଘର ସଭାପତି ଶ୍ରୀ ଦୁର୍ଯୋଧନ ପ୍ରଧାନ ଉତ୍ସବର ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଏବଂ ସମ୍ପାଦକ ଶ୍ରୀ ସଂଗ୍ରାମ ଧର ସଂଘ ତରଫରୁ ହୋଇଥିବା ଜ୍ଞାତ ଅଜ୍ଞାତ ତ୍ରୁଟି ବିଚ୍ୟୁତି ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଓ ବହୁ ସଂଖ୍ୟାରେ ଯୋଗ ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଏହି ଉତ୍ସବରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ଵ ଦର୍ଶକ ଏବଂ ଭକ୍ତ ଉପସ୍ଥିତ ଥିଲେ |