March 17, 2023

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱେ ଫେଙ୍ଗ

1 min read
Aajira-Odisha

ଡୋକଲାମ ବିବାଦର ଏକବର୍ଷ ପରେ ଭାରତ-ଚୀନ ପରସ୍ପର ମଧ୍ୟରେ ବିଶ୍ୱାସ ବୃଦ୍ଧି ଲାଗି ବିସ୍ତୃତ ଆଲୋଚନା ଲାଗି ଉପନୀତ ହୋଇଛନ୍ତି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଦୁଇ ଦେଶ ମଧ୍ୟରେ ବିଶ୍ୱାସ ବୃଦ୍ଧି ଲାଗି ହେବାକୁ ଥିବା ସିବିଏମ୍‍ କଥାବାର୍ତ୍ତା ଲାଗି ଚୀନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେ ଫେଙ୍ଗ ଭାରତରେ ପହଞ୍ଚିଛନ୍ତି। ଆସ୍ଥା ସୃଷ୍ଟି ଲାଗି (ସିବିଏମ୍‍) କଥାବାର୍ତ୍ତା ସହିତ ଦୁଇ ଦେଶ ମଧ୍ୟରେ ହଟ୍‍ ଲାଇନ ଟେଲିଫୋନ ସେବା ଓ ବାର୍ଷିକ ‘ହାଣ୍ଡ-ଇନ-ହାଣ୍ଡ’ ସମରାଭ୍ୟାସ ଆଦି ଉପରେ ଆଲୋଚନା ହେବାର ଅଛି। ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସଦ୍‍ଭାବ କିପରି ବଜାୟ ରଖାଯାଇପାରିବ ତା’ ଉପରେ ଏହି କଥାବାର୍ତ୍ତାରେ ଗୁରୁତ୍ୱ ଦିଆଯାଇଛି।

ଭାରତ ଗସ୍ତରେ ଆସିଥିବା ଚୀନ ପ୍ରତିରକ୍ଷା ମନ୍ତ୍ରୀ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିଛନ୍ତି। ଉଭୟଙ୍କ ସାକ୍ଷାତ ପରେ ମୋଦୀ କହିଛନ୍ତି ଯେ ସୀମା ଶାନ୍ତି ପାଇଁ ଦୁଇଦେଶ ମଧ୍ୟରେ ଯେଉଁ ଉତ୍ସାହ ଦେଖାଯାଇଛି ତାହା ପ୍ରଶଂସନୀୟ। ଗୁରୁବାର ଜେନେରାଲ ଫେଙ୍ଗ ତାଙ୍କ ପ୍ରତିପକ୍ଷ ନିର୍ମଳା ସୀତାରମଣଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିବେ। ଜେନେରାଲ ଫେଙ୍ଗଙ୍କ ନେତୃତ୍ୱରେ ୨୪ଜଣିଆ ପ୍ରତିନିଧି ଦଳ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି।

ଏହି ପ୍ରତିନିଧି ଦଳରେ ଚୀନର ସେଣ୍ଟ୍ରାଲ ମିଲିଟାରୀ କମିସନ ତଥା ବାୟୁସେନା ଉପ ସେନାମୁଖ୍ୟଙ୍କ ସହିତ ଉଚ୍ଚସ୍ତରୀୟ ସେନା ଅଧିକାରୀ ରହିଛନ୍ତି। ଭାରତ-ପାକିସ୍ତାନ ଡିଜିଏମ୍‍ଓଙ୍କ ମଧ୍ୟରେ ଯେପରି ହଟ୍‍ ଲାଇନ କଥାବାର୍ତ୍ତାର ବ୍ୟବସ୍ଥା ରହିଛି ସେହିପରି ଭାରତ-ଚୀନର ସେନା ମୁଖ୍ୟାଳୟ ମଧ୍ୟରେ ହଟ୍‍ ଲାଇନ ଟେଲିଫୋନ କଥାବାର୍ତ୍ତାର ସୁବିଧା ରହିବ। ଭାରତ-ଚୀନ ମଧ୍ୟରେ ୪,୦୫୭ କିମି ଆନ୍ତର୍ଜାତିକ ସୀମା ରହିଥିବାବେଳେ ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଆସୁଛି। ଭୁଟାନର ଡୋକଲାମକୁ ନେଇ ଦୁଇ ଦେଶ ମଧ୍ୟରେ ଗତବର୍ଷ ବିବାଦ ଦେଖାଯାଇଥିଲା। ଏ ପରିକି ଦୁଇଦେଶର ସେନା ଏହାକୁ ନେଇ ୭୩ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.