ଜାତୀୟ

ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ନିଶକୁ ‘ଜାତୀୟ ନିଶ’ ରୂପେ ଘୋଷଣା କରିବା ପାଇଁ ସଂସଦରେ ଦାବି କଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ

ଆଓରି-ନୂଆଦିଲ୍ଲୀ(୨୪/୦୬): ସଂସଦର ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ ଆଜି ଏକ ଅଦ୍ଭୁତ ଦାବି ଉପସ୍ଥାପନ କରିଛନ୍ତି। ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ନିଶକୁ ଜାତୀୟ ନିଶ ରୂପେ ଘୋଷଣା କରିବା ପାଇଁ ଲୋକସଭାରେ ଦାବି କରିଛନ୍ତି କଂଗ୍ରେସ ନେତା ଚୌଧୁରୀ।

ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କରିଥିବା ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ଓ ଦଳର ବକ୍ତବ୍ୟ ରଖିବା ଅବସରରେ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ ଭାରତୀୟ ଜନତା ପାର୍ଟି (ବିଜେପି)ର ସମାଲୋଚନା କରି କହିଥିଲେ ଯେ ନିର୍ବାଚନ ପ୍ରଚାର କାଳରେ ବିଜେପି ସରକାର ଅଭିନନ୍ଦନ ବର୍ତ୍ତମାନଙ୍କ ନାମକୁ ମାତ୍ରାଧିକ ଭାବେ ବ୍ୟବହାର କରିଛି। ତେଣୁ ଏବେ ସରକାର ତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରିବା ସହ ତାଙ୍କ ନିଶକୁ ‘ଜାତୀୟ ନିଶ’ ଭାବେ ଘୋଷଣା ସହ ମାନ୍ୟତା ପ୍ରଦାନ କରନ୍ତୁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଭାରତୀୟ ବାୟୁସେନାର ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଗତ ଫେବ୍ରୁଆରି ୨୭ ତାରିଖରେ ପାକ୍‌ ବାୟୁସେନା ଓ ଭାରତୀୟ ବାୟୁସେନା ମଧ୍ୟରେ ହୋଇଥିବା ‘ଡଗ୍‌ ଫାଇଟ୍‌’ରେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ତାଙ୍କର ମିଗ୍‌-୨୧ ବିସନ୍‌ ଲଢ଼ୁଆ ବିମାନରୁ କ୍ଷେପଣାସ୍ତ୍ର ମାଡ଼ କରି ପାକ୍‌ ବାୟୁସେନାର ଏକ ଅତ୍ୟାଧୁନିକ ଏଫ୍‌-୧୬ ଲଢ଼ୁଆ ବିମାନକୁ ଖସାଇ ଦେବା ପରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ପାକ୍‌- ଅଧିକୃତ କଶ୍ମୀର ମଧ୍ୟରେ ପାକିସ୍ତାନ ହାତରେ ଯୁଦ୍ଧ ବନ୍ଦୀ ହୋଇ ଯାଇଥିଲେ। ହେଲେ, ପରବର୍ତ୍ତୀ ସମୟରେ ପ୍ରବଳ ଅନ୍ତର୍ଜାତିକ ଚାପ ଆଗରେ ମୁଣ୍ଡ ନୁଆଇଁ ପାକିସ୍ତାନ ତାଙ୍କୁ ମାତ୍ର ୫୬ ଘଣ୍ଟା ମଧ୍ୟରେ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ବାଧ୍ୟ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button