ରାଜ୍ୟ

ବିଶ୍ୱଭୂଷଣଙ୍କୁ ଅଡ଼ୁଆକୁ ଟାଣିଲେ ଦାମ : ୧୯୭୮ରେ ସେ ଆଇନମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲିଥିଲା

ଆଓରି- ଭୁବନେଶ୍ୱର(୧୬/୬):  ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଡ଼ୁଆ ତୁଟିବା ପରିବର୍ତେ ଆହୁରି ଗୁଡ଼େଇ ତୁଡ଼େଇ ଜଟିଳ ହେବାରେ ଲାଗିଛି। ଆଜି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଏଭଳି ଅଡ଼ୁଆ ଭିତରକୁ ଟାଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା. ଦାମୋଦର ରାଉତ। ୧୯୭୮ ମସିହାରେ ବିଶ୍ୱଭୂଷଣ ଆଇନ ମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା ବୋଲି ସେ କହିଛନ୍ତି।

ଆଜି ଗଣମାଧ୍ୟମକୁ ଡା. ରାଉତ କହିଲେ, ‘‘ସମସ୍ତେ କହୁଛନ୍ତି ବିଗତ ବର୍ଷମାନଙ୍କରେ ରତ୍ନଭଣ୍ଡାର ବିଭିନ୍ନ ସମୟରେ ଖୋଲାଯାଇଛି। ମୁଁ ଦୀର୍ଘ ୪୫ ବର୍ଷ ଧରି ରାଜନୀତିରେ ଅଛି। ମୁଁ କେବେ ଶୁଣିନାହିଁ କି ରତ୍ନଭଣ୍ଡାର ଥରୁଟିଏ ବି ଖୋଲିଛି। ବରଂ ୧୯୭୮ ମସିହାରେ ଯେତେବେଳେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ, ସେତେବେଳେ ଖୋଲାଯାଇଥିବା ମୋର ମନେ ପଡ଼ୁଛି। ତେବେ ପ୍ରଶ୍ନ ଉଠୁଛି, ଯଦି ସେତେବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ସମସ୍ତ ଯାଞ୍ଚ କାର୍ଯ୍ୟ ସଂପନ୍ନ ହୋଇଥିଲା, ବିଶ୍ୱଭୂଷଣବାବୁ ହିଁ ଚାବି ବିଷୟରେ ସମସ୍ତ ସୂଚନା ଦେଇପାରିବେ। ଯଦି ସେମାନେ ଖୋଲିଥିଲେ, ଚାବି ଏବେ କେଉଁଠି ଅଛି, ସେ କଥା ବି କହିପାରିବେ।

ଅସଲ ଚାବିରୁ ନକଲି ଚାବି ତିଆରି କରିହେବ। କିନ୍ତୁ ଅସଲ ଚାବି ହଜିଥିଲେ, ନକଲି ଚାବି କେଉଁଠୁ ଆସିବ? ଯଦି ଗୋଟିଏ ନକଲି ଚାବି ଅଛି, ସେ ବିଷୟରେ କେହି କିପରି ଜାଣିନାହାନ୍ତି ପ୍ରଶ୍ନ କରିବା ସହିତ ଏହା ସମସ୍ତ ମନରେ ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ ବୋଲି ଡା. ରାଉତ କହିଥିଲେ। ଏଭଳି ରହସ୍ୟକୁ କେବଳ ଶ୍ରୀଜଗନ୍ନାଥ ହିଁ ଭେଦ କରିପାରିବେ। ରତ୍ନଭଣ୍ଡାରର ଚାବିକୁ ହିଁ ସେ ସୁରକ୍ଷିତ ରଖିବେ ବୋଲି ସେ କହିଥିଲେ।

ଏହି ଘଟଣାରେ ଯେ କୌଣସି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କାହିଁକି ବିବୃତି ଦେଲେ ସେ ବୁଝିପାରୁନାହାନ୍ତି। ସେ(ଜିଲ୍ଲାପାଳ) କାହିଁକି ତଦନ୍ତର ସାମ୍ନା କରିବେ? ଚାବିକୁ ସୁରକ୍ଷିତ ରଖିବା ପ୍ରଶାସକଙ୍କର ଦାୟିତ୍ୱ। ମନ୍ତ୍ରୀଙ୍କର ନୁହେଁ। ସେ ଯାହାହେଉ, ଅଚାନକ ନକଲି ଚାବି ମିଳିବା ପଛରେ କିଛି ରହସ୍ୟ ଅଛି ବୋଲି ଡା. ରାଉତ ସନ୍ଦେହ ପ୍ରକାଶ କରିଥିଲେ। ଦାମଙ୍କ ବିବୃତି ନେଇ ନିଜ ପ୍ରତିକ୍ରିୟାରେ ବିଶ୍ୱଭୂଷଣ କହିଲେ ଯେ ସେ ନକଲି ଚାବି କ’ଣ ସେ କଥା ଜାଣନ୍ତି ନାହିଁ। ଆଇନରେ ସେଭଳି ବ୍ୟବସ୍ଥା ନାହିଁ। ସମଗ୍ର ଘଟଣା ପାଇଁ ସରକାର ଦାୟୀ ବୋଲି ସେ କହିଛନ୍ତି।

ଆଜି ଚାବି ହଜିବା ନେଇ ବିଜେପି ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ କମିସନ୍‌ରେଟ୍‌ ପୁଲିସ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ଚାବି ହଜିବା ଘଟଣାରେ ଏତଲା ଗ୍ରହଣ କରିବାକୁ ପୁରୀ ସିଂହଦ୍ୱାର ପୁଲିସ ଥାନା ମନା କରିଦେଇଥିବାରୁ ଡିଜିପି ତାଙ୍କର ସ୍ୱତନ୍ତ୍ର କ୍ଷମତା ବଳରେ ମକଦ୍ଦମା ଦାଏର କରିବା ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button