ଶିକ୍ଷା

‘ଇଣ୍ଡିଆ ଟୁଡେ’ର ଆଇନ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌ : ତୃତୀୟ ସ୍ଥାନରେ କଟକ

ଆଓରି-ଭୁବନେଶ୍ୱର(୨୯/୬) : ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ ପ୍ରକାଶିତ ଦେଶର ଶ୍ରେଷ୍ଠ ଆଇନ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ପରିଚାଳନା, ଏକାଡେମିକ, ଗବେଷଣା, ଭିତ୍ତିଭୂମି, ନିଯୁକ୍ତି ପରି ବିଷୟକୁ ନେଇ ଏହି ର‍୍ୟାଙ୍କିଙ୍ଗ୍‌ ହୋଇଥିଲା।

ମୋଟ ଦୁଇ ହଜାର ନମ୍ବରକୁ ନେଇ କରାଯାଇଥିବା ଏହି ର‍୍ୟାଙ୍କିଙ୍ଗ୍‌ରେ ବେଙ୍ଗାଲୁରୁସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୧,୮୫୨ ନମ୍ବର ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛି। କଲିକତାରେ ଥିବା େଓ୍ଵଷ୍ଟବେଙ୍ଗଲ୍‌ ନ୍ୟାସନାଲ ୟୁନିଭରସିଟି ଅଫ୍‌ ଜୁଡିସିଆଲ୍‌ ସାଇନ୍ସ ୧୬୯୪ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛି। କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୧୪୧୦ ନମ୍ବର ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ପଞ୍ଜାବର ପଟିଆଲାସ୍ଥିତ ରାଜୀବ ଗାନ୍ଧି ନ୍ୟାସନାଲ ୟୁନିଭରସିଟି ଅଫ୍‌ ଲ’ ୧୦୨୨ ମାର୍କ ପାଇ ୪ର୍ଥ, କୋଚିସ୍ଥିତ ‘ଦି ନ୍ୟାସନାଲ ୟୁନିଭରସିଟି ଅଫ୍‌ ଆଡଭାନ୍ସଡ୍‌ ଲିଗାଲ ଷ୍ଟଡିସ୍‌’ ୮୮୮.୪ ମାର୍କ ରଖି ୫ମ ସ୍ଥାନ ଅଧିକାର କରିଛି। ପତ୍ରିକାରେ ଆହୁରି ଉଲ୍ଲେଖ କରାଯାଇଛି ଯେ ହାଇଦ୍ରାବାଦସ୍ଥିତ ନାଲସାର ୟୁନିଭରସିଟି ଅଫ୍‌ ଲ’, ନୂଆଦିଲ୍ଲୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଗୁଜୁରାଟ ନ୍ୟାସନାଳ ଲ’ ୟୁନିଭରସିଟି ଏହି ର‍୍ୟାଙ୍କିଙ୍ଗ୍‌ରେ ଭାଗ ନେଇ ନ ଥିଲେ। ନିର୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ କରି ନ ପାରିବା ହେତୁ ଉକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ର‍୍ୟାଙ୍କିଙ୍ଗ୍‌ରୁ ବାଦ୍‌ ପଡ଼ିଥିଲେ।

ଏହି ସଫଳତା ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀକୃଷ୍ଣ ଦେବ ରାଓ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ତୃତୀୟ ସ୍ଥାନ ହାସଲ କରିବା ଖୁସିର ବିଷୟ। ଜାତୀୟସ୍ତରରେ ବିଶ୍ୱବିଦ୍ୟାଳୟକୁ ମାନ୍ୟତା ମିଳିବା କ୍ଷେତ୍ରରେ ଏହା ପ୍ରଥମ ପାହାଚ। ଆଗାମୀ ଦିନରେ ଆହୁରି ସଫଳତା ମିଳିବ। ଏହି ସଫଳତା ଶ୍ରେୟ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଯାଉଛି।

ସୂଚନାଯୋଗ୍ୟ ଯେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ୨୦୦୯ରୁ ପାଠପଢ଼ା ଆରମ୍ଭ ହୋଇଥିଲା। ଏଠାରେ ୫ ବର୍ଷିଆ ବିଏଏଲଏଲବି, ବିବିଏଏଲ୍‌ଏଲ୍‌ବି (ଅନର୍ସ), ଏଲ୍‌ଏଲ୍‌ଏମ୍‌ ଏବଂ ପିଏଚ୍‌ଡି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ୨୦୧୮ ମାର୍ଚ୍ଚ ମାସରେ ୟୁଜିସି ପକ୍ଷରୁ ସ୍ୱୟଂଶାସିତ ମାନ୍ୟତା ମିଳିଥିବା ୬୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହା ସ୍ଥାନ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button