ଜିଲ୍ଲା

ସୋରରେ କର୍ଫ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଆଜି ସନ୍ଧ୍ୟା ୬ଟାରୁ ପୁଣି କର୍ଫ୍ୟୁ ଲଗାଯାଇଛି। ଏହା ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରାଯିବ।

ବାଲେଶ୍ୱର ଏସ୍‌ପି ନୀତି ଶେଖର କହିଛନ୍ତି,

ଆଜି ରାତିରେ ବି କର୍ଫ୍ୟୁ ବଳବତ୍ତର ରହିବ। ଆଜି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। କାଲି ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ। ୮ଟାରୁ ୨ଟା ପର୍ଯ୍ୟନ୍ତ ୧୪୪ ଧାରା କୋହଳ କରାଯିବ।

ଆସନ୍ତାକାଲି ସକାଳ ୯ରୁ ୧୧ଟା ମଧ୍ୟରେ ବାକି ମେଢ଼ ଗୁଡ଼ିକର ଭସାଣ କାର୍ଯ୍ୟ ନିରାଡ଼ମ୍ବରରେ ସାରିବାକୁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି। ଆହୁରି ୬ଟି ଗଣେଶ ମେଢ଼ର ବିସର୍ଜନ ହୋଇପାରିନାହିଁ।

ଆଜି ୬ ଘଣ୍ଟା ପାଇଁ ୧୪୪ ଧାରା କୋହଳ କରାଯାଇଥିଲା। ପବିତ୍ର ଇଦ୍‌-ଉଲ୍‌-ଜୁହା ଥିବାରୁ ସହରରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ଅପରାହ୍ନ ୨ଟା ପରଠାରୁ ପୁଣି ଥରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହା ପରେ ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲଗାଯାଇଛି।

soro-communal-tension

ସହରକୁ ସମ୍ପୂର୍ଣ୍ଣ ପୋଲିସ୍ ଛାଉଣୀରେ ପରିବର୍ତ୍ତନ କରି ଦିଆଯାଇଛି। ଆଜି ସକାଳ ୯ଟାରୁ ୧୦ଟା ମଧ୍ୟରେ ଇଦ୍-ଉଲ୍‌-ଜୁହା ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଥିଲା। ଇଦ୍‌ଗା ପଡ଼ିଆରେ କଡ଼ା ସୁରକ୍ଷା ମଧ୍ୟରେ ସମୂହ ପ୍ରାର୍ଥନା କରାଯାଇଥିଲା।

ଗତ ୯ ତାରିଖ ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ସୋର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ସାଧାରଣ କରିବା ପାଇଁ ରବିବାର ଶାନ୍ତି କମିଟି ବୈଠକ ବସିଥିଲା। ତେବେ ଏହା ଫେଲ୍ ମାରିଥିଲା। ସେହିଦିନ ରାତିରେ ଦୁର୍ବୃତ୍ତମାନେ ୭ଟି ଦୋକାନ ଓ ଗୋଟିଏ କୁକୁଡ଼ା ଫାର୍ମ ଜାଳି ଦେଇଥିଲେ।  ସ୍ଥିତି ବିଗିଡିବାରୁ ଗତକାଲି ସହରରେ ୧୪୪ ଧାରା ଜାରି କରାଯାଇଥିଲା। ଏହି ଗଣ୍ଡଗୋଳ ଘଟଣାରେ ପୋଲିସ୍ ୧୩ ଜଣଙ୍କୁ ଗିରଫ କରି ସାରିଲାଣି।

Related Articles

Leave a Reply

Your email address will not be published. Required fields are marked *

Back to top button