ରାଜନୀତି

ଗଣତନ୍ତ୍ରକୁ ବଞ୍ଚାଇବାରେ ଓଡ଼ିଶାର ଅବଦାନ ଅତୁଳନୀୟ; କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଆଓରି-ଭୁବନେଶ୍ୱର(୨୭/୬) : ମଙ୍ଗଳବାର ଦିନିକିଆ ଗସ୍ତରେ ଓଡ଼ିଶା ଆସି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ସକାଳ ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଥିଲେ । ଶ୍ରୀମତି ଇରାନୀ ପୂର୍ବାହ୍ନ ୧୧ଟାରେ ହୋଟେଲ ମାରିଅନଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଲାପରେ ଅପରାହ୍ନ ୧ଟାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

୪୩ ବର୍ଷ ତଳେ ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ଆଜି ‘କଳା ଦିବସ’ ଭାବେ ପାଳନ କରିଛି ବିଜେପି। ସାରା ଦେଶରେ ବିଜେପି ପକ୍ଷରୁ ଏହି ଦିବସ ପାଳନ କରାଯାଉଥିଲା ବେଳେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ବୁଦ୍ଧିଜୀବୀ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀରେ ସେ କଂଗ୍ରେସ ଉପରେ ଭୀଷଣ ବର୍ଷିବା ସହ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ କଂଗ୍ରେସ ଜଳାଞ୍ଜଳି ଦେଇଥିଲା ବୋଲି କହଛନ୍ତି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଓଡ଼ିଶାର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିବା ସହ ଏଠାକାର ୯୦୦ରୁ ଅଧିକ ସତ୍ୟାଗ୍ରହୀ ଓ ମିସା ଆଇନ୍‌ ବଳରେ ଗିରଫ ହୋଇଥିବା ୩୦୦ରୁ ଅଧିକ ସତ୍ୟାଗ୍ରହୀଙ୍କୁ ଶ୍ରଦ୍ଧାପୂର୍ବକ ସମ୍ମାନ ଦେବାକୁ ଆସିଛନ୍ତି ବୋଲି କହିଛନ୍ତି।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଲେ, ୪୩ ବର୍ଷ ପୂର୍ବେ ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ପଦବି ଲାଭ ଆଶାରେ ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱତନ୍ତ୍ରତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୌଳିକ ଅଧିକାରକୁ ହତ୍ୟା କରିବାର ପ୍ରୟାସ କରିଥିଲା। ଲୋକତନ୍ତ୍ରର ସୁରକ୍ଷା ପାଇଁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୋଧରେ ଯେଉଁମାନେ ସ୍ୱର ଉଠାଇଥିଲେ, ସେମାନଙ୍କ ବିରୋଧରେ ୨ ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଗଲା। ଓଡ଼ିଶାରେ ମଧ୍ୟ ଅନେକ ନେତା ଓ ସମାଜସେବୀଙ୍କୁ ମିସା ଆଇନ୍‌ ବଳରେ ଗିରଫ କରାଯାଇ ଜବରଦସ୍ତ ଜେଲ୍‌କୁ ପଠାଇ ଦିଆଯାଇଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅଗଣିତ ନାଗରିକ ଗଣତନ୍ତ୍ରର ସବୁଠୁ ବଡ଼ ଲଢ଼େଇରେ ଯୋଗ ଦେଇଥିଲେ। ତେଣୁ ସେହି ମହାନ୍‌ ବ୍ୟକ୍ତିମାନଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଧନ୍ୟବାଦ ଦେବା ସହ ସେମାନଙ୍କ ବଳିଦାନକୁ ସମ୍ମାନ ଦେଉଛୁ।

ଓଡ଼ିଶା ସରକାର ‘ଆୟୁଷ୍ମାନ’ ଯୋଜନାକୁ ଲାଗୁ କରୁ ନ ଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଇରାନୀ କହିଥିଲେ, ପ୍ରଧାନମନ୍ତ୍ରୀ ସବୁବେଳେ ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଓଡ଼ିଶା ସରକାର କେନ୍ଦ୍ରର ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଲାଗୁ ନ କରିବା ଦୁର୍ଭାଗ୍ୟଜନକ। ଲୋକଙ୍କ ସ୍ୱାସ୍ଥ୍ୟ ସେବାକୁ ଆଖି ଆଗରେ ଓଡ଼ିଶା ସରକାର ଏହି ନିଷ୍ପତ୍ତିକୁ ବଦଳାନ୍ତୁ ବୋଲି ସେ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button