ଜିଲ୍ଲା

ବ୍ରାହ୍ମଣୀରେ ମାତିଛନ୍ତି କୁମ୍ଭୀର

ଆଓରି-କେନ୍ଦ୍ରାପଡ଼ା(୨/୭) : ରାଜଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବା ବ୍ରାହ୍ମଣୀ ନଦୀରେ କିଛି ଦିନ ହେବ କୁମ୍ଭୀରଙ୍କ ଦୌରାତ୍ମ ବଢ଼ିଥିବା ପରିଲକ୍ଷିତ ହେଉଛି । ଶତାଧିକ କୁମ୍ଭୀର ଏହି ଅଞ୍ଚଳରେ ଅଣ୍ଡା ଦେଇ ସାରିଥିବା ବେଳେ ଅନ୍ୟ କୁମ୍ଭୀରମାନେ ଅଣ୍ଡାଦେବା ପାଇଁ ବସା ଖୋଜୁଛନ୍ତି। ଏହି ସମୟରେ କୁମ୍ଭୀରମାନେ ହିଂସ୍ର ପାଲଟି ଯାଇଥାନ୍ତି  ବୋଲି କୁହାଯାଏ । କୁମ୍ଭୀରମାନେ ୨ ଦିନରେ ୨ଜଣଙ୍କୁ ଶିକାର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମ ନଗର ଗାଁ ପାଖରେ ଶରତ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ  ଶନିବାର କୁମ୍ଭୀର ଟାଣି ନେଇଛି। ଆଜି ଅପରାହ୍ନରେ ନିଦରୁ ଉଠି ଶରତ  ଘରଠାରୁ ଅତି ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ମୁହଁ ଧୋଇବାକୁ ଯାଇଥିଲେ। ଏହି ସମୟରେ ନଦୀକୂଳରେ ଥିବା ଏକ କୁମ୍ଭୀର ଅତର୍କିତ ଭାବେ ଆକ୍ରମଣ କରି ଶରତଙ୍କୁ ଟାଣି ନେଇଥିଲା। କିଛି ସମୟ ମଧ୍ୟରେ ଶରତ ଘରକୁ ନ ଫେରିବାରୁ ପରିବାର ଲୋକେ ଗାଁର ଅନ୍ୟମାନଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରେ ଗାଁ ଲୋକେ ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଦମକଳ ବାହିନୀର କର୍ମଚାରୀମାନେ ଓ ଗାଁଲୋକେ ଶରତକୁ ଉଦ୍ଧାର କରିପାରି ନାହାନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ରାଜଗଡ଼ ଗାଁରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବ୍ୟକ୍ତିର ଡାହାଣ ଗୋଡର ଜଂଘକୁ କୁମ୍ଭୀର କ୍ଷତବିକ୍ଷତ କରିଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button