ଜାତୀୟ

ଅପରାଧ ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

ଆଓରି(ତା୨୧|୪)- ମହିଳା ଓ ନାବାଳିକା ବଳାତ୍କାର ପ୍ରସଙ୍ଗକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ବିଧାନସଭା ଗୃହ ବେଶ ସରଗରମ ହୋଇଉଠିଥିଲା। ଏନେଇ ବିରୋଧୀଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ଅପରାଧକୁ ରୋକିବା ତଥା ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ଥାନାରେ ସ୍ୱତନ୍ତ୍ର ଡେସ୍କ ଖୋଲାଯାଇଛି। ରାଜ୍ୟରେ ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବାପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ସରକାରଙ୍କ ପକ୍ଷରୁ ମହିଳା ଚାଲାଣ ବିରୋଧୀ ଆଇନ ଲାଗୁ କରାଯାଇଛି। ମହିଳା ଓ ଶିଶୁ ଅପରାଧ ହ୍ରାସ୍‍ ପାଇଛି।
ରାଜ୍ୟରେ ୬ଟି ମହିଳା ଥାନା ଖୋଲା ଯାଇଛି। ପ୍ରତି ଅଭିଯୋଗକୁ ପଞ୍ଜୀକରଣ କରାଯାଉଥିବାବେଳେ ଅପରାଧ ଭଳି ସଙ୍ଗିନ ଅଭିଯୋଗପ୍ରତି ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଫଳରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅପରାଧ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। ମୁଲତବୀ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଅପରାଧ ହାର ବହୁଗୁଣାରେ ବଢ଼ି ଚାଲିଥିବାବେଳେ ସରକାର କହୁଛନ୍ତି ନିୟନ୍ତ୍ରଣାଧୀନ ରହିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ଉତ୍ତର ଆଶା କରା ଯାଏନା। ସାମାଜିକ ନିରାପତ୍ତା ଅଭାବରୁ ରାଜ୍ୟରେ ମାଓବାଦୀ ସୃଷ୍ଟି ହେଉଛନ୍ତି। ଯଦି ୧୦୦ ମାଓବାଦୀ ମାରି ଦିଆଯାଏ ତାହା ପରବର୍ତ୍ତୀ ସମୟରେ ହଜାରେ ସୃଷ୍ଟି ହୋଇପାରିବେ। ଆଇନ ଏବଂ ବିକାଶ ଯଦି ସମନ୍ୱୟ ଭାବେ କାର୍ଯ୍ୟ କରିବ ତେବେ ମାଓହିଂସା କମିବ। ରାଜ୍ୟରେ ପ୍ରତିଦିନ ୬ଟି ଅପରାଧ ହେଉଥିବାବେଳେ ବର୍ଷକୁ ୬ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରୁଛି। ରାଜ୍ୟରେ ପବ୍ଲିକ ପ୍ରସିକ୍ୟୁଟରଙ୍କ ଅଭାବ ଯୋଗୁଁ ଅପରାଧ ମାମଲାଗୁଡିକ ଠିକ୍‍ ଭାବେ ବିଚାର ହୋଇପାରୁନାହିଁ। ପୁଲିସ ଅଭିଯୋଗ ପତ୍ରକୁ ଅପେକ୍ଷା ନକରି ସୂଚନା ପାଇବା ମାତ୍ରେ ମାମଲା ରୁଜୁ କରିବା ଆବଶ୍ୟକ। ଏଥିପ୍ରତି ସରକାର ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ପରିସ୍ଥିତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ। ଆଲୋଚନାରେ ଭାଗ ନେଇ ବିରୋଧୀଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ମା’କୁ କିପ୍ରକାର ସମ୍ମାନ ଦେଉଛନ୍ତି ତାହା ପ୍ରତିଦିନ ଖବରକାଗଜରୁ ଜଣାପଡୁଛି। ଠିକଣା ସମୟରେ ଦୋଷୀଙ୍କୁ ଦଣ୍ଡ ନମିଳିବାରୁ ଏହି ହାର ଉପରେ ନିୟନ୍ତ୍ରଣ ରହୁନାହିଁ। ପିପି ଏବଂ ଏପିପିମାନେ ମାମଲାକୁ ଢ଼ିଲା କରୁଛନ୍ତି। ତାରାଙ୍କ ପିପି ପ୍ରସଙ୍ଗକୁ ନେଇ ଶାସକଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବିରୋଧ କରିଥିଲେ। ମାତ୍ର ତାରା କହିଥିଲେ ଯେ ଜୟପୁରରେ ଏଭଳି ବହୁ ମାମଲା ହେଉଛି ତା’ର ଜ୍ୱଳନ୍ତ ଉଦାହରଣ ମୋପାଖରେ ରହିଛି। ବାଚସ୍ପତି ଅନୁମତି ଦେଲେ ସବୁ ଖୋଲିଦେବି। ପିପି ନିଯୁକ୍ତିରେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ୍‍।
ସେ କହିଥିଲେ ଯେ କୁନ୍ଦୁଲି ପ୍ରସଙ୍ଗଠାରୁ ଆରମ୍ଭ କରି ଯେତେ ସବୁ ଘଟଣା ଘଟିଛି ଦୋଷୀ ଦଣ୍ଡ ପାଉନାହାନ୍ତି। ତେଣୁ ଅପରାଧ କମିଛି ବୋଲି ସରକାର କହୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ବାହିନୀପତି କହିଥିଲେ। ତାରାଙ୍କ ସହିତ ତାଳ ମିଳାଇ ବିଧାୟକ ଦେବେନ୍ଦ୍ର ଶର୍ମା, ଜାକବ ପ୍ରଧାନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବାବେଳେ ବିଜେପିର ବିଧାୟିକା ରାଧାରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ପ୍ରତି ଜିଲାରେ ମହିଳା ଥାନା ପ୍ରତିଷ୍ଠା କରିବାକୁ ଦାବି କରିଥିଲେ। ବିଜେପି ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ମଧ୍ୟ କେତେକ ସ୍ଥଳରେ ପୁଲିସର କାର୍ଯ୍ୟକଳାପକୁ ନେଇ ଦୁଃଖ ପ୍ରକାଶ କରି ମୁଲତବୀ ପ୍ରସ୍ତାବକୁ ସମର୍ଥନ କରିଥିଲେ।

ଅନ୍ୟପକ୍ଷରେ ଶାସକ ଦଳ ମୁଖ୍ୟସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଅପରାଧ ମାମଲାକୁ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ନିକଟରେ ସୋର ଓ ନୀଳଗିରି ମାମଲାରେ ୨୪ଘଣ୍ଟା ଭିତରେ ଆସାମୀକୁ ଗିରଫ କରାଯାଇଥିବାବେଳେ ଆଜି ଥୁଆମୂଳ ରାମପୁର ବଳାତ୍କାର ଘଟଣାରେ ମଧ୍ୟ ମାତ୍ର ୬ଘଣ୍ଟାରେ ଆସାମୀକୁ ଧରାଯାଇଛି। ରାଜ୍ୟରେ ଦଣ୍ଡାଦେଶ ହାର ୩୨.୭୫ ପ୍ରତିଶତ ରହିଛି। ଶ୍ରୀ ଶତପଥୀଙ୍କ ଏହି ପରିସଂଖ୍ୟାନକୁ ନେଇ ବିରୋଧୀଦଳ ନେତା ଶ୍ରୀ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମୁଖ୍ୟ ସଚେତକ କେଉଁଠୁ ଏ ‘ଫିଗର’ ପାଇଲେ ମୁଁ ଜାଣିନାହିଁ। ମୋ ପାଖରେ ଯାହା ସରକାରୀ ତଥ୍ୟ ରହିଛି ସେଥିରେ ଦଣ୍ଡାଦେଶ ହାର ମାତ୍ର ୯ ପ୍ରତିଶତ ରହିଛି। ତେଣୁ ଗୃହକୁ ଅଯଥା ମିଥ୍ୟା ନକହିବାପାଇଁ ଶ୍ରୀ ମିଶ୍ର ମୁଖ୍ୟ ସଚେତକ ଶ୍ରୀ ଶତପଥୀଙ୍କୁ ସଚେତନ କରାଇଥିଲେ। ପରେ ଶାସକଦଳ ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକ ସଚେତନ ସରକାର ଯୋଗୁଁ ଅଭିଯୋଗ ପଞ୍ଜୀକରଣ ହାର ବଢ଼ିଛି ଏବଂ ଲୋକେ ନ୍ୟାୟ ପାଉଛନ୍ତି ବୋଲି କହିଥିଲେ। ସେହିପରି ବିଧାୟକ ସମୀର ରଞ୍ଜନ ଦାଶ ପ୍ରମୁଖ ପ୍ରତିପକ୍ଷ ଶ୍ରୀ ଶର୍ମାଙ୍କୁ କଡା ଜବାବ ଦେଇ କହିଥିଲେ ଯେ କେବଳ ନବୀନ ପଟ୍ଟନାୟକଙ୍କ ଶାସନରେ ପୁଲିସ ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଯେଉଁଠାରେ ଶାସକଦଳ ବିଧାୟକଙ୍କ କଥା ମଧ୍ୟ କାଟୁ କରୁନାହିଁ। ଥାନାକୁ ଦଳୀୟ କାର୍ଯ୍ୟାଳୟ ବୋଲି କହିବା ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟରେ ଶାସକଦଳ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କଠାରେ ସେମାନଙ୍କ ଅସହାୟତା ପ୍ରକାଶ କରୁଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ବିଜେପି ସରକାରରେ ବିଧାୟକ ଦୋଷ କଲେ ବି ତାକୁ ଘଣ୍ଟ ଘୋଡା ଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button