ଜିଲ୍ଲାରାଜ୍ୟ

ଆବାସ ଯୋଜନାରେ ଦୁର୍ନୀତି: କୋଟିପତିଙ୍କୁ ମିଳୁଛି ବିଜୁ ପକ୍କାଘର

ଯାଜପୁର୭।୨(.. ରି.): ରାଜ୍ୟ ସରକାରଙ୍କର ଆଉ ଏକ ଦୁର୍ନୀତ ପଦାକୁ ଆସିଛି।  ଗ୍ରାମୀଣ ଆବାସ ଯୋଜନା ମହାଦୁର୍ନୀତିରେ ଚର୍ଚ୍ଚାରେ ରହି ଆସୁଥିବା ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏବେ ବିଜୁ ପକ୍କା ଘର ଦୁର୍ନୀତିର ପେଡି ଖୋଲୁଛି। ବିଜୁ ପକ୍କାଘର(ସ୍ବତନ୍ତ୍ର) ଯୋଜନାର ଗାଇଡ ଲାଇନ ଉଲ୍ଲଂଘନ କରାଯାଇ କୋଟିପତି ହିତାଧିକାରୀଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଘର ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ ଜିଲାକୁ କମ୍‌ ଅନୁଦାନ ମିଳିଥିଲା। ତେଣୁ ରାଜ୍ୟ ସରକାର ପୂର୍ବଭଳି ବିଜୁ ପକ୍କାଘର ଚାଲୁ ନ ରଖି ସ୍ବତନ୍ତ୍ର ବିଜୁ ପକ୍କାଘର ଯୋଜନା ଆରମ୍ଭ କରି ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ୭୫ଟି ଲେଖାଏ ବିଜୁ ପକ୍କାଘର ଆବଣ୍ଟିତ ହୋଇଥିଲା। ବାତ୍ୟା, ବନ୍ୟା ଓ ଭୂମିକମ୍ପ କିମ୍ବା ହାତୀ ଉପଦ୍ରବ ଯୋଗୁ ଘର ଭାଙ୍ଗିଥିବା ବ୍ୟକ୍ତି, ସାମ୍ପ୍ରଦାୟିକ ଦଙ୍ଗାର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଏହି ସ୍ବତନ୍ତ୍ର ବିଜୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ ରହିଥିଲା।

ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସାମ୍ପ୍ରଦାୟିକ ଦଙ୍ଗା ଘଟି ନ ଥିଲେ ମଧ୍ୟ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ସ୍ବତନ୍ତ୍ର ବିଜୁ ପକ୍କାଘର ଯୋଜନାରେ କୋଟିପତି ହିତାଧିକାରୀଙ୍କୁ ଚୟନ କରିଥିବା ଜଣାପଡିଛି। ଏହି ହିତାଧିକାରୀଙ୍କୁ ଗରିବ ଦର୍ଶାଇ ବିଜୁ ପକ୍କାଘର ବଣ୍ଟନ କରାଯାଇଛି। ଯାଜପୁର-ସିଂହପୁର ରାସ୍ତାର ରୁଦ୍ରପୁରସ୍ଥିତ ବିଦ୍ୟୁତଗ୍ରୀଡ ନିକଟରେ ନିର୍ମାଣ ହୋଇଥିବା ବିଜୁ ପକ୍କାଘରକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଘରଟି ୨ମହଲା ବିଶିଷ୍ଟ କୋଠାଘର ହୋଇଥିବାବେଳେ ସେଠାରେ ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ ରହିଛି। ଏଥିସହିତ କେତେକ ସରକାରୀ ଓ ବେସରକାରୀ ଚାକିରି କରିଥିବା ବ୍ୟକ୍ତି ମଧ୍ୟ ଭଡ଼ାରେ ରହିଛନ୍ତି। ଏପରିକି ଏହି କୋଠାରେ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟ ଗଚ୍ଛିତ ହୋଇ ରହିଥିଲା। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ଥିବା ଏହି ହିତାଧିକାରୀଙ୍କୁ ବିଜୁ ପକ୍କାଘର ଦିଆଯାଇଥିବା ଜଣାପଡିଛି। ୨୦୧୭-୧୮ରେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ପାଇଁ ୭୫ଟି ବିଜୁ ପକ୍କାଘର ଆସିଥିବାବେଳେ ସେଥିମଧ୍ୟରୁ ୪୨ଟି ଘର ଅଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହୋଇଛି ଏବଂ ସେଥିରୁ ବିଞ୍ଝାରପୁର ପଞ୍ଚାୟତରେ ସର୍ବାଧିକ ୨୬ଟି ବିଜୁ ପକ୍କାଘର ଦିଆଯାଇଛି। ଏହି ସମସ୍ତ ହିତାଧିକାରୀ ଅଯୋଗ୍ୟ ବୋଲି ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବିଞ୍ଝାରପୁର ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ପଚାରିବାରେ ଅଭିଯୋଗର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ସପ୍ତାହକ ମଧ୍ୟରେ ହସ୍ତଗତ ହେବ। ରିପୋର୍ଟ ମିଳିବା ପରେ ଜିଲାପାଳଙ୍କୁ ପ୍ରଦାନ କରାଯାଇ ତାଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button