ରାଜ୍ୟ

ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସାମ୍ବିଧାନିକ ଖଣ୍ଡପୀଠ

ଆଓରି-ନୂଆଦିଲ୍ଲୀ(୨୬/୯) : ବହୁଚର୍ଚ୍ଚିତ ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ରହିଥିବା ବାଦବିବାଦର ଅବସାନ ଘଟିଛି। ଏହି ପ୍ରସଙ୍ଗରେ ବୁଧବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କ ରାୟ ଶୁଣାଇଛନ୍ତି। ଖଣ୍ଡପୀଠର ଅନ୍ୟତମ ସଦସ୍ୟ ବିଚାରପତି ଏ କେ ସିକ୍ରି ରାୟ ପଢ଼ି ଶୁଣାଇଛନ୍ତି।
ଏଥିରେ ଉଲ୍ଲେଖ ରହିଛି ଯେ ଆଧାରରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାର ନକଲ କରାଯାଇପାରିବ ନାହିଁ। ଆଧାର ସାମ୍ବିଧାନିକ ଭାବେ ବୈଧ। ଏହାକୁ ବିରୋଧ କରିବା ସମ୍ବିଧାନର ବିରୋଧ ସହିତ ସମାନ। ଏବେ ଆଧାର ଦେଶର ଗରିବ ଲୋକଙ୍କ ଶକ୍ତି ଓ ପରିଚୟ ପାଲଟିଛି। ଆଧାର ଦ୍ୱାରା ଏକ ବୃହତ୍‍ ବର୍ଗ ଉପକୃତ ହେଉଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଆଧାର ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ସ୍କୁଲରେ ନାମ ଲେଖା ବେଳେ ଆଧାର ଜରୁରୀ ନୁହେଁ। ଘରୋଇ କମ୍ପାନୀ କିମ୍ବା ସଂସ୍ଥା ମଧ୍ୟ ଆଧାର ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ। ଏଥିପାଇଁ ଆଧାର ଆଇନ୍‍ର ଧାରା ୫୭କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରଦ୍ଦ କରିଛନ୍ତି। ଆଧାର ତଥ୍ୟକୁ ଅଧିକ ସୁରକ୍ଷିତ ରଖିବା ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button