ରାଜନୀତି

ଉପବାସ ନାଁରେ ଉପହାସ

ଆଜିର ଓଡିଶା (ତା୧୦|୪)-ଦେଶରେ ସାମ୍ପ୍ରଦାୟିକତା ଓ ଜାତିଗତ ହିଂସା ବଢ଼ିଚାଲିଛି। ଏହାକୁ ନେଇ ବିତର୍କ ଜରୁରୀ ଥିବାବେଳେ ଶାସକ ଭାଜପା ପାର୍ଲାମେଣ୍ଟକୁ ଅଚଳ କରିଦେଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଶାନ୍ତି ଓ ସଦ୍ଭାବନା କାମନା କରି ସୋମବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଅନଶନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇ ଦିଲ୍ଲୀର ରାଜଘାଟରେ ଅନଶନରେ ବସିଥିଲେ। ଅନଶନ ପୂର୍ବରୁ ଦଳର କେତେଜଣ ନେତା ପେଟପୂରା ଖାଇ ଧାରଣାସ୍ଥଳକୁ ଯିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ‘ଉପବାସ ନାଁରେ ଉପହାସ’ ବୋଲି ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ସେହିପରି ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଦୁଇ ଅଭିଯୁକ୍ତ ଜଗଦୀଶ ଟାଇଟଲର ଓ ସଜ୍ଜନ କୁମାରଙ୍କ ଉପସ୍ଥିତି ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି। ଶେଷରେ କଂଗ୍ରେସ ନେତାମାନେ ଉଭୟଙ୍କୁ ଧାରଣାସ୍ଥଳରେ ବସିବାକୁ ନ ଦେଇ ସେଠାରୁ ବାହରିଯିବାକୁ କହିଛନ୍ତି। କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିବା ପାଇଁ ରାହୁଲ ଉଦ୍ୟମ କରୁଥିବାବେଳେ ଖୋଦ୍‌ ଦଳୀୟ ନେତାମାନେ ତାଙ୍କ ପାଇଁ ଅଡୁଆ ସାଜିଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି।
ପିଏନ୍‌ବି ଦୁର୍ନୀତି, ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌, ଏସ୍‌ସି, ଏସ୍‌ଟି ଆଇନକୁ ଦୁର୍ବଳ କରାଯିବା, ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଏବଂ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ଆଦି ପ୍ରସଙ୍ଗରେ କଂଗ୍ରେସ ଆଲୋଚନା ଚାହୁଁଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଯୋଗୁ ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ବେକାର ହୋଇଗଲା ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହାବାଦ ସାରା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଦଳିତ ବିରୋଧୀ ହିଂସା ବଢ଼ିବାରେ ଲାଗିଥିବାରୁ ଏହାର ପ୍ରତିବାଦରେ ବିଭିନ୍ନ ରାଜ୍ୟର ଜିଲା ସଦର ମହକୁମାରେ କଂଗ୍ରେସ ନେତା ଓ କର୍ମୀମାନେ ଜାତିର ପିତା ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଦିନିକିଆ ଉପବାସ କରିଥିଲେ। ରାଜଘାଟରେ ରାହୁଲଙ୍କ ସଦ୍ଭାବନା ଉପବାସ ବେଳେ କମଳନାଥ, ମଲ୍ଲିକାର୍ଜୁନ ଖାର୍ଗେ, ଶୀଲା ଦୀକ୍ଷିତ, ଅଶୋକ ଗେହଲୋଟ, ଅଜୟ ମାକେନ ଓ ରଣଦୀପ ସୁର୍ଜଓ୍ବୋଲାଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଧାରଣାସ୍ଥଳକୁ ଯାଇ ଏଥିରେ ସାମିଲ ହୋଇଥିଲେ। କଂଗ୍ରେସ ନେତା ଜଗଦୀଶ ଟାଇଟଲର ଓ ସଜ୍ଜନ କୁମାର ମଧ୍ୟ ସେଠାକୁ ଯାଇଥିଲେ। ଉଭୟେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ଅଭିଯୁକ୍ତ ହୋଇଥିବାରୁ ଦୁହିଁଙ୍କୁ ସେଠାରେ ବସିବାକୁ ଦିଆଯାଇ ନ ଥିଲା। ଦଳୀୟ ନେତାଙ୍କ ବାରଣ ଯୋଗୁ ସଜ୍ଜନ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଟାଇଟଲର ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ କିଛି ସମୟ ବସିବା ପରେ ସେଠାରୁ ପଳାଇଥିଲେ। ଇତିମଧ୍ୟରେ ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକେନଙ୍କ ସହ ଅରବିନ୍ଦର ସିଂ ଲଭଲି ଓ ଅନ୍ୟ କେତେଜଣ ନେତା ଉପବାସ ପୂର୍ବରୁ ଚାନ୍ଦିନୀଚୌକର ଏକ ହୋଟେଲରେ ଖାଉଥିବା ଦୃଶ୍ୟର କେତୋଟି ଫଟୋ ଭାଜପା ନେତା ହରିଶ ଖୁରାନା ଟୁଇଟ୍‌ କରିଥିଲେ। ଅନ୍ୟମାନଙ୍କୁ ଉପବାସ ପାଇଁ ଡାକିଥିବା କଂଗ୍ରେସ ନେତାମାନେ ନିଜେ ପେଟ ଭର୍ତ୍ତି କରୁଛନ୍ତି। ଏହା କଂଗ୍ରେସର ଦୋମୁହଁା ନୀତି ବୋଲି ସେ ସମାଲୋଚନା କରିଥିଲେ। ଏହାକୁ ନେଇ ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି, ରାହୁଲ ପୂର୍ବାହ୍ନ ୧୦ଟା ୩୦ରେ ଉପବାସ ଆରମ୍ଭ କରି ଅପରାହ୍ନ ଗୋଟାଏରେ ଉଠିଯାଇଥିଲେ। ଏଥିରୁ କଂଗ୍ରେସ ନେତାଙ୍କ ବିଳାସମୟ ରାଜନୀତି ପ୍ରତିଫଳିତ ହେଉଛି। କଂଗ୍ରେସ ଦଳିତଙ୍କୁ ତାଚ୍ଛଲ୍ୟ କରିଛି। ତେବେ ଦୁଇ ଦଙ୍ଗା ଅଭିଯୁକ୍ତ ନେତାଙ୍କୁ ରାଜଘାଟରୁ ବିଦାକରି କଂଗ୍ରେସ ସେମାନଙ୍କ ଦୋଷକୁ ମାନିଛି। କଂଗ୍ରେସ ନିଜ ଜାଲରେ ଫସିଯାଇଛି ବୋଲି ସମ୍ବିତ୍‌ ସମାଲୋଚନା କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ଗୈରିକ ଦଳର କେତେଜଣ ଷଡ଼ଯନ୍ତ୍ରକାରୀ ସବୁ ଛୋଟବଡ଼ କଥାର ତାତ୍ପର୍ଯ୍ୟ ବାହାର କରୁଛନ୍ତି। ଦେଶକୁ ବିଭାଜନ କରିବାକୁ ଚାହୁଁଥିବା ଲୋକଙ୍କୁ ଏହା ଶୋଭା ପାଉନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button