ରାଜନୀତି

ସମସ୍ତ ପଦ ପଦବିରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା

ଆଓରି-ଭୁବନେଶ୍ଵର(୧୦/୧୨) : ବିବାଦୀୟ ବୟାନ ଦେଇ ବାରମ୍ବାର କଂଗ୍ରେସ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ପଦ ପଦବିରୁ ଇସ୍ତଫା ଦେଇଛନ୍ତି। ଗତ ଗୁରୁବାର ଦିନ ଏଆ‌ଇସିସି ପକ୍ଷରୁ ୨୦୧୯ ନିର୍ବା‌ଚନ ପାଇଁ ଗଠନ କରାଯାଇଥିବା ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବାଦ୍‌ ଦିଆଯାଇଥିଲା। ଆଗକୁ ତାଙ୍କ ବିରୋଧରେ ଦଳ ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଆଶଙ୍କା‌ କରି ସେ ଓଡ଼ିଶା କଂଗ୍ରେସ କମିଟିର ସମସ୍ତ ପଦବିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ କଂଗ୍ରେସ ହାଇକମାଣ୍ଡ୍‌ ରାହୁଲ ଗାନ୍ଧୀ ଓ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଇ ଦେଇଥିବା ଜଣାପଡ଼ିଛି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପରାମର୍ଶ କ୍ରମେ ଇସ୍ତାହାର କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି। ତେବେ ଶ୍ରୀକାନ୍ତ ଜେନାଙ୍କ ବି‌ବାଦୀୟ ବୟାନ ପାଇଁ ତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ପ୍ରଶ୍ନର ଉତ୍ତର ରଖି ଜିତେନ୍ଦ୍ର ସିଂହ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ନେଇ ଶୃଙ୍ଖଳା କମିଟି ଅନୁଧ୍ୟାନ କରିବ। ଶ୍ରୀକାନ୍ତ ଜେନା ଦଳର ଜଣେ ବରିଷ୍ଠ ନେତା। ଦଳର ଆଭ୍ୟନ୍ତରୀଣ ଓ ଗୋପନୀୟ ବାର୍ତ୍ତାଳାପକୁ ସେ ମିଡିଆ ନିକଟରେ ପ୍ରକାଶ ନକରିବା କଥା ବୋଲି ଜିତେନ୍ଦ୍ର କହିଛନ୍ତି। ଅପରପକ୍ଷେ ଶ୍ରୀକାନ୍ତ ଜେନାଙ୍କ ବିବାଦୀୟ ବୟାନ ସମ୍ପର୍କରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯିବ ବୋଲି ଏଆଇସିସି ସୂତ୍ରରୁ ଜଣାପଡ଼ିଛି।

ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଜେନା କହିଥିଲେ ଯେ ଇସ୍ତାହାର କମିଟିର ଅଧ୍ୟକ୍ଷ ହେବାପରେ ସେ ଦଳିତ ଓ ଓବିସିକୁ ନେଇ ଯେଉଁସବୁ ମତ ଦେଇଥିଲେ ସେଥିରେ ପିସିସି ସଭାପତି ରାଜି ନଥିଲେ। କିନ୍ତୁ ଏଆଇସିସି ଯଦି ତାଙ୍କ କଥାରେ ସହମତ ନହୁଏ ତାହାଲେ ଇସ୍ତାହାର କମିଟି ଅଧ୍ୟକ୍ଷତା ପଦରୁ ତାଙ୍କୁ ବିଦା କରି ଦିଆଯାଉ ବୋଲି ସେ ସ୍ବତଃ କହିଥିବା ଆଜି ପ୍ରକାଶ କରିଛନ୍ତି। ପିସିସି ସଭାପତି ଓ ତାଙ୍କ ମଧ୍ୟରେ ଲାଗି ରହିଥିବା ତୁ ତୁ ମେଁ ମଁ ସମ୍ପର୍କରେ ସେ ହାଇକମାଣ୍ଡ୍‌ଙ୍କ ନିକଟରେ ଅଭିଯୋଗ କରିବେ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ତେବେ ନିରଂଜନ ପଟ୍ଟନାୟକ ତାଙ୍କର ପ୍ରତିଦ୍ଵନ୍ଦୀ ନୁହନ୍ତି, ଆବଶ୍ୟକ ପଡ଼ିଲେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିପାରନ୍ତି ବୋଲି କହିଛନ୍ତି।

ଶ୍ରୀକାନ୍ତଙ୍କ ମନ୍ତବ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ। ସେ କହିଥିଲେ, କୌଣସି କମିଟିରେ ରହିବା ନ ରହିବା ତାହା ଶ୍ରୀକାନ୍ତଙ୍କ ଉପରେ ନିର୍ଭର କରୁଛି ଓ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ହେଲେ ଦଳର ଆଭ୍ୟନ୍ତରୀଣ ବ୍ୟାପାର ତଥା ଆଲୋଚନାକୁ ନେଇ ଗଣମାଧ୍ୟମ ନିକଟରେ ବୟାନ ଦେବା ଅରୁଚିକର।

Related Articles

Leave a Reply

Your email address will not be published. Required fields are marked *

Back to top button