ରାଜନୀତି

ବିଜେପିକୁ ଘେରିବାକୁ କଂଗ୍ରେସର ଉଦ୍ୟମ: ବିହାର, ମଣିପୁର ଓ ଗୋଆରେ ବି କର୍ଣ୍ଣାଟକ ଫର୍ମୁଲା ଦାବି କଲା କଂଗ୍ରେସ

ଆ.ଓ.ରି(ତା୧୭|୫)-

ଯେ କୌଣସି ଉପାୟରେ ହେଉ ପଛେ କର୍ଣ୍ଣାଟକରେ ବିଜେପିକୁ ଘେରିବାକୁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ଯେଉଁ ଫର୍ମୁଲାରେ ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିଲା, ସେହି ଫର୍ମୁଲାରେ ଗୋଆ, ମଣିପୁର ଓ ବିହାରରେ ବି ଲାଗୁ ପାଇଁ କଂଗ୍ରେସ ଦାବି କରିଛି।

୨୦୧୭ ବିଧାନସଭା ନିର୍ବାଚନରେ ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଥିଲା। କିନ୍ତୁ ବିଜେପି ମାତ୍ର ୧୩ଟି ଆସନ ଜିତି ନିଜ ସହଯୋଗୀଙ୍କ ସହ ମିଶି ସରକାର ଗଢ଼ିବାରେ ସଫଳ ହୋଇଥିଲା।ଏଣୁ କର୍ଣ୍ଣାଟକରେ ସର୍ବବୃହତ ଦଳ ଭାବେ ବିଜେପି ଯେପରି ସରକାର ଗଠନ କଲା ସେହିପରି କଂଗ୍ରେସକୁ ମଧ୍ୟ ଗୋଆରେ ସରକାର ଗଠନ କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ। ଏଥିପାଇଁ ରାଜ୍ୟ କଂଗ୍ରେସ ନେତା ୟତୀଶ ନାଏକ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟି ସରକାର ଗଠନ ଦାବି କରିବେ ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛି ଦଳ।

ଅନ୍ୟପଟେ ବିହାରରେ ଆରଜେଡି ମଧ୍ୟ ସମାନ ଦାବି କରିଛି। ରାଜ୍ୟରେ ତାଙ୍କ ଦଳର ସଂଖ୍ୟାଗରିଷ୍ଠତା ଥିବା ଦାବି କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ଏନେଇ ସେ ଆସନ୍ତାକାଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟିବେ ବୋଲି କହିଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ୮୦ ଜଣ ବିଧାୟକ ଅଛନ୍ତି।

ସେହିପରି ୬୦ ଆସନ ବିଶିଷ୍ଟ ମଣିପୁରରେ କଂଗ୍ରେସକୁ ସବୁଠୁ ଅଧିକ ୨୮ଟି ଆସନ ମିଳିଥିଲେ ବି ସେଠାରେ ସରକାର ଗଢ଼ିବାକୁ ସୁଯୋଗ ଦିଆଯାଇ ନ ଥିବାରୁ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂ।

Related Articles

Leave a Reply

Your email address will not be published. Required fields are marked *

Back to top button