୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କଲା କଂଗ୍ରେସ
1 min read
୧୮୮୫ ମସିହା ଡିସେମ୍ବର ୨୮ । ଆଜିର ଦିନରେ ଜନ୍ମ ନେଇଥିଲା ଦେଶର ସବୁଠୁ ପୁରୁଣା ପାର୍ଟି ଭାରତୀୟ ଜାତୀୟ କଂଗ୍ରେସ । ୧୩୪ ବର୍ଷରେ ପଦାର୍ପଣ କଲା କଂଗ୍ରେସ ଦଳ । ୧୩୪ ତମ ପ୍ରତିଷ୍ଠା ଦିବସକୁ ଦଳ ପକ୍ଷରୁ ସମଗ୍ର ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଉଛି ।
୧୮୮୪ ମସିହା ଡିସେମ୍ବରରେ ସମ୍ଭ୍ରାନ୍ତ ସମାଜର ୧୭ ଜଣଙ୍କୁ ନେଇ ଏକ ବୈଠକରୁ ଜନ୍ମ ନେଇଥିଲା ଏହି ଦଳ ଗଠନ ପାଇଁ କଳ୍ପନା କରାଯାଇଥିଲା । ଏହି ଦଳର ପ୍ରତିଷ୍ଠାତା କୌଣସି ଭାରତୀୟ ନୁହେଁ ବରଂ ଆଲାନ୍ ଅକ୍ଟୋଭିଆନ୍ ହ୍ୟୁମ୍ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ଜାତୀୟ କଂଗ୍ରେସ । ୭୨ ଜଣ ସଦସ୍ୟଙ୍କୁ ନେଇ ଏହାର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ ।
୧୯୦୫ ଯାଏ ଏହାକୁ ଜନସମର୍ଥନ ମିଳିନଥିଲା। କିନ୍ତୁ ଲର୍ଡ କର୍ଜନ୍ ବଙ୍ଗ ବିଭାଜନ ବାବଦରେ ଘୋଷଣା କରିବା ପରେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ନାଥ ବାନାର୍ଜୀ ଏବଂ ସାର୍ ହେନେରୀ କଟ୍ଟନ୍ ରାଜନୀତିକ ସୀମା ଟପି ଦଳକୁ ସ୍ୱଦେଶୀ ଆନ୍ଦୋଳନ ପାଇଁ ଉତ୍ସର୍ଗ କରାଇଥିଲେ । ପରେ ଦଳ ବହୁ ସୁବିଧା-ଅସୁବିଧା ଦେଇ ଗତି କରି ଦେଶର ଏକ ପ୍ରମୁଖ ଦଳର ମାନ୍ୟତା ପାଇଥିଲା ।
ଅନ୍ୟପଟେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଇଁ ରାଜ୍ୟରେ ମଧ୍ୟ ଉତ୍ସବ ପାଳନ କରାଯାଉଛି । ଆଜି କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି । ଆଜିର ଦିନ ଏକ ଐତିହାସିକ ଦିନ ଅଟେ । ଆଗାମୀ ନିର୍ବାଚନରେ ଏକ ହୋଇ ଲଢ଼ିବାକୁ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ସଭାପତି । ଆଜି ଦଳ ପକ୍ଷରୁ ‘କଂଗ୍ରେସ ମାଇଁ ଚଏସ୍’ ନାମକ ଏକ ୱେବସାଇଟ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଦଳ ଲୋକଙ୍କ ମତ ସଂଗ୍ରହ କରିବର ଯୋଜନା କରିଥିବା ଜଣାପଡ଼ିଛି ।