ଉପବାସ ପୂର୍ବରୁ କଂଗ୍ରେସ ନେତାଙ୍କ ବ୍ରେକ୍ଫାଷ୍ଟ
1 min read
ଆଜିର ଓଡିଶା (ତା୯|୪)-ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସାରା ଦେଶରେ କଂଗ୍ରେସ ତରଫରୁ ଉପବାସ ବ୍ରତ ପାଳନ କରାଯାଉଛି। ରାଜଘାଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପବାସରେ ବସିଛନ୍ତି। ହେଲେ ଇତିମଧ୍ୟରେ ଏକ ଫଟୋ ଏବେ ଦଳକୁ ଅଡୁଆରେ ପକାଇ ଦେଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ମଦନ ଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନା ଏମିତି ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋରେ କଂଗ୍ରେସ ନେତା ଅଜୟ ମାକନ, ହାରୁନ ୟୁସୁଫ, ଅରବିନ୍ଦରସିଂ ଲଭଲି ଛୋଲେ-ଭଟୁରେ ଖାଉଥିବା ଦେଖିବାକୁ ମିଳିଛି। ହରିଶ ତାଙ୍କ ଟୁଇଟର ପେଜ୍ରେ ଫଟୋଟିକୁ ଶେୟାର କରିବା ସହ ଲେଖିଛନ୍ତି, କଂଗ୍ରେସ ନେତା ଲୋକଙ୍କୁ ବୋକା ବନାଉଛନ୍ତି। ଉପବାସ ରହି ବିରୋଧ ପ୍ରଦର୍ଶନ କରୁଥିବା କହି ରେଷ୍ଟୁରାଣ୍ଟରେ ଛୋଲେ-ଭଟୁରେର ମଜା ନେଉଛନ୍ତି। ହରିଶଙ୍କ ଏହି ଟୁଇଟକୁ ରିଟୁଇଟ୍ କରି ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରି କହିଛନ୍ତି, ଏହା ଉପବାସ ନୁହେଁ ବରଂ ଉପହାସ। ତେବେ ଫଟୋଟି ଉପବାସ ପୂର୍ବର ଅର୍ଥାତ ସୋମବାର ସକାଳର ବୋଲି ସ୍ବୀକାର କରିଛନ୍ତି କଂଗ୍ରେସ ନେତା ଅରବିନ୍ଦରସିଂ ଲଭଲି। ଏହା ଏକ ସାଙ୍କେତିକ ଉପବାସ ହୋଇଥିବାବେଳେ ଏହା ପୂର୍ବାହ୍ନ ୧୦ଟା ୩୦ ପରେ ଆରମ୍ଭ ହେଉଥିବାରୁ ସେମାନେ ପାଖାପାଖି ୮ଟାରେ ଏକ ରେଷ୍ଟୁରାଣ୍ଟରେ ଛୋଲେ-ଭଟୁରେ ଖାଇଥିବା କହିଛନ୍ତି ଲଭ୍ଲି।