March 22, 2023

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କୁ ବଦନାମ କରିବା ପାଇଁ କଂଗ୍ରେସର ଷଡଯନ୍ତ୍ର ଫେଲ୍ ମାରିଛି : କେ.ଭି ସିଂହଦେଓ

1 min read

ଆ.ଓ.ରି(ତା୨୦।୪)-

ବିଚାରପତି ଲୋୟାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଉପରେ ମାନ୍ୟବର ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇ କଂଗ୍ରେସ ଏବଂ ସେମାନଙ୍କ ସହେଯାଗୀ ଦଳର ମୁଖା ଖୋଲିଦେଇଛନ୍ତି। ବିଚାରପତି ଲୋୟାଙ୍କ ମୃତ୍ୟୁକୁ ମାନ୍ୟବର କୋର୍ଟ ସ୍ୱାଭାବିକ ଦର୍ଶାଇଛନ୍ତି। ଏହି ଜନସ୍ୱାର୍ଥ ମାମଲାଟି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବା କାରଣରୁ ମାନ୍ୟବର କୋର୍ଟ ଭର୍ତ୍ସନା ମଧ୍ୟ କରିଛନ୍ତି। ଏହା ଏକ ଷଡଯନ୍ତ୍ରକାରୀ ପିଆଇଏଲ ଥିଲା ଏବଂ ଏନେଇ ଏକ ଅଦୃଶ୍ୟ ହାତ କାମ କରୁଥିଲା। ଏହି ଯାଚିକା ଦ୍ୱାରା ଦେଶର ସର୍ବୋଚ୍ଚ ନ୍ୟାୟଳୟକୁ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମାନ୍ୟବର କୋର୍ଟଙ୍କ ଏହି ରାୟ ଦର୍ଶାଉଛି ଯେ, କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଏବଂ ସର୍ବୋଚ୍ଚ ନ୍ୟାୟାଳୟକୁ ବଦନାମ କରିବା ପାଇଁ କଂଗ୍ରେସ ଏପରି ଷଡଯନ୍ତ୍ର ରଚନା କରିଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ରାହୁଲଗାନ୍ଧୀ ଏହି ଉପରେ ପ୍ରେସ ବିବୃତି ରଖିବା ସହ ୧୫୦ ସାଂସଦକୁ ନେଇ ରାଷ୍ଟ୍ରପତି ପାଖରେ ଗୁହାରୀ କରିବା ନାଁରେ ନାଟକ କରିଥିଲେ। କିନ୍ତୁ ଆଜି ଭାରତର ନ୍ୟାୟ ବ୍ୟବସ୍ଥା ସତ୍ୟକୁ ସାମ୍ନାକୁ ଆଣିଛନ୍ତି ଏବଂ ସତ୍ୟର ବିଜୟ ହୋଇଛି। କଂଗ୍ରେସ ଦ୍ୱାରା ବାରମ୍ବାର ଭାରତୀୟ ଜନତା ପାର୍ଟିର ଯଶସ୍ୱୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ହୀନ ଷଡଯନ୍ତ୍ର ରଚି ତାଙ୍କୁ ଅପମାନିତ କରାଯାଇଥିଲା ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଷଡଯନ୍ତ୍ର ମାଧ୍ୟମରେ ପ୍ରୟାସ କରି ଦେଶର ପରିସ୍ଥିତି ଖରାପ କରିବା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚିବା, ଭାରତର ନ୍ୟାୟିକ ବ୍ୟବସ୍ଥାର ଉପରେ ବିଶ୍ୱାସ ନରଖିବା କାରଣରୁ ଦେଶବାସୀଙ୍କ ଆଗରେ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ନିଃସର୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ। ରାହୁଲ ଗାନ୍ଧୀ ବାସ୍ତବ ରାଜନୀତି କରିବା ପାଇଁ ଅସମର୍ଥ। ତେଣୁ କୋର୍ଟର ପ୍ରାଙ୍ଗଣରେ ସେ ଯେଉଁ ହୀନ ରାଜନୀତି କରିବାର ଚେଷ୍ଟା କରୁଛନ୍ତି ତାହା ଆଜି ସର୍ବୋଚ୍ଚ ନ୍ୟାୟାଳୟ ପର୍ଦ୍ଦାଫାଶ କରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଗାନ୍ଧୀ ପରିବାରକୁ ଲାଗୁଛି କି ଦେଶର ଶାସନ ଡୋର ତାଙ୍କ ହାତରେ ରହିବା ଆବଶ୍ୟକ। ଯଦି କେହି ଗରିବ ଏବଂ ପଛୁଆ ବର୍ଗ ଦେଶର ସେବା କରିବା ପାଇଁ ଚାହୁଁଛି ତା ବିରୁଦ୍ଧରେ ଷଡଯନ୍ତ୍ର ରଚନା କରି କଂଗ୍ରେସ ତାକୁ ସମାପ୍ତ କରିବା ପାଇଁ ଯୋଜନା କରୁଛି। କିଛି ଓକିଲମାନେ ନିଜର ମର୍ଯ୍ୟାଦା ଉପରେ ଧ୍ୟାନ ନରଖି କୋର୍ଟରେ ଯେମିତି ଆଚରଣ ପ୍ରଦର୍ଶନ କରିଥିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନଶର୍ମା ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published.

Copyright © All rights reserved. | Newsphere by AF themes.