ଖେଳ

ପ୍ରଥମ ମ୍ୟାଚ ରେ ଚେନ୍ନାଇର ବିଜୟ

ଆଜିର ଓଡିଶା (ତା୮|୪)-ରୋମାଞ୍ଚକର ବିଜୟ ସହ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌କୁ ଫେରିଛି ଚେନ୍ନଇ ସୁପର କିଙ୍ଗ୍‌ସ। ଆଇପିଏଲ୍‌ର ୧୧ଶ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସକୁ ୧ ୱିକେଟରେ ହରାଇଛି ଚେନ୍ନଇ। ୩ ଓଭରରୁ ଚେନ୍ନଇ ୪୭ ରନ୍‌ ଆବଶ୍ୟକ କରୁଥିବା ବେଳେ ଡ୍ୱେନ୍‌ ବ୍ରାଭୋ ନିସ୍ତୁକ ପ୍ରହାରକରି ୨ ଓଭରରେ ୪୦ ରନ୍‌ ନେବାରୁ ଚେନ୍ନଇର ବିଜୟ ସମ୍ଭବ ହୋଇଛି। ଗୋଟିଏ ବଲ୍‌ ଓ ଗୋଟିଏ ୱିକେଟ ବାକିଥାଇ ଚେନ୍ନଇ ଜିତିପାରିଛି। ଈଶାନ୍‌ କିଷନ୍‌, ସୂର୍ଯ୍ୟକୁମାର ଯାଦବ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମେ ବ୍ୟାଟିଂକରି ୪ ୱିକେଟରେ ୧୬୫ ରନ୍‌ କରିଥିଲା। ପରେ ୧୧୮ ରନ୍‌ରେ ୮ଟି ୱିକେଟ ପଡ଼ିବା ସତ୍ତ୍ୱେ ଡ୍ୱେନ୍‌ ବ୍ରାଭୋଙ୍କ ନିସ୍ତୁକ ପ୍ରହାର ଯୋଗୁଁ ଚେନ୍ନଇ ଜିତିଥିଲା।୧୬୬ ରନ୍‌ ଲକ୍ଷ୍ୟରେ ଚେନ୍ନଇ ଓପ୍‌ନିଂ ଯୋଡ଼ିରେ ୨୭ ରନ୍‌ କରିବା ପରେ ସେନ୍‌ ୱାଟ୍‌ସନ ୧୬ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରର୍ତ୍ତୀ ୨୪ ରନ୍‌ରେ ଆଉ ୩ଟି ୱିକେଟ ପଡ଼ିଥିଲା। ସୁରେଶ ରୈନା ୪, ଅମ୍ବତି ରାୟୁଡୁ ୨୨ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୫ ରନ୍‌କରି ବିଦାୟ ନେଇଥିଲେ। ପରେ କେଦାର ଯାଦବ ୧୪ ରନ୍‌କରି ଆହତ ହୋଇ ପଡ଼ି ଛାଡ଼ିଥିଲେ। ଚେନ୍ନଇର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହିଥିଲା। ପରେ ରବୀନ୍ଦ୍ର ଜାଡ଼େଜା ୧୨, ଦୀପକ ଚହର ୦ ଓ ହରଭଜନ ସିଂହ ୮ ରନ୍‌କରି ଆଉଟ ହୋଇଥିଲେ। ୧୦୫ ରନ୍‌ରେ ୭ଟି ୱିକେଟ ପଡ଼ିଯିବା ପରେ ଡ୍ୱେନ୍‌ ବ୍ରାଭୋ ଏକା ଲଢ଼ିଥିଲେ। ୩ ଓଭରରେ ୧୭ ରନ୍‌ ଆବଶ୍ୟକ ଥିବା ବେଳେ ବ୍ରାଭୋ ପ୍ରହାର ଆରମ୍ଭ କରି ଦେଇଥିଲେ। ୧୮ଶ ଓଭରରେ ମିଚେଲ ମ୍ୟାକ୍‌କ୍ଲିନାଘାନଙ୍କୁ ୨୦ ରନ୍‌ ମାରିବା ପରେ ଯଶ୍ରପୀତ ବୁମ୍‌ରା ବୋଲିଂ କରିଥିବା ୧୯ଶ ଓଭରର ପ୍ରଥମ ୫ଟି ବଲ୍‌ରେ ୨୦ ରନ୍‌ ନେବା ପରେ ଆଉଟ ହୋଇ ଯାଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଏହି ଅଲ୍‌ରାଉଣ୍ଡର ୩୦ ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହ ୬୮ ରନ୍‌ କରିଥିଲେ। ଶେଷ ଓଭରରେ ୭ ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ୩ଟି ବଲ୍‌ରେ ରନ୍‌ ହୋଇନଥିବା ପରବର୍ତ୍ତୀ ୨ଟି ବଲ୍‌ରୁ କେଦାର ଯାଦବ ଛକା ଓ ଚୌକା ମାରିବାରୁ ଚେନ୍ନଇ ଜିତିଥିଲା। କେଦାର ୨୨ ବଲ୍‌ରୁ ୨୪ ରନ୍‌କରି ଅପରାଜିତ ଥିଲେ। ହାର୍ଦିକ ପାଣ୍ଡ୍ୟା ଓ ପଞ୍ଜାବୀ ସ୍ପିନର ମୟଙ୍କ ମାର୍କଣ୍ଡେ ୩ଟି ଲେଖାଏଁ ୱିକେଟ ପାଇଥିଲେ।୨ ବର୍ଷ ପରେ ଆଇପିଏଲ୍‌କୁ ଫେରିଥିବା ଚେନ୍ନଇ ସୁପର କିଙ୍ଗ୍‌ସ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ବିପର୍ଯ୍ୟୟ ସହ ମୁମ୍ବଇ ଇଣ୍ଡିଆନ୍‌ସ ଇନିଂସ ଆରମ୍ଭ କରିଥିଲା। ୪ ଓଭରରେ ଘରୋଇଦଳ ୨୦ ରନ୍‌ରେ ୨ଟି ୱିକେ ହରାଇଥିଲା। ଇଣ୍ଡିଜ୍‌ର ଓପ୍‌ର ଏଭିନ୍‌ ଲୁଇସ୍‌ ୦ରେ ଓ ଅଧିନାୟକ ରୋହିତ ଶର୍ମା ୧୫ ରନ୍‌କରି ଆଉଟ ହୋଇଥିଲେ। ପରେ ଈଶାନ୍‌ କିଷନ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଦ୍ରୁତ ୭୮ ରନ୍‌ର ଭାଗିଦାରୀ ହୋଇଥିଲା। ଝାଡ଼ଖଣ୍ଡର ବାମହାତି ଇଶାନ୍‌ କିଷନ୍‌ ୨୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୦ ରନ୍‌ କରିଥିବା ବେଳେ ମୁମ୍ବଇର ସୂର୍ଯ୍ୟକୁମାର ୨୯ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୦ ରନ୍‌କରି ଆଉଟ ହୋଇଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଦୁଇ ପାଣ୍ଡ୍ୟା ଭ୍ରାତା କ୍ରୁନାଲ ଓ ହାର୍ଦିକ। ଦୁହେଁ ଶେଷ ୩୨ ବଲ୍‌ରୁ ଅବିଭାଜିତ ୫ମ ୱିକେଟ ପାଇଁ ୩୨ ରନ୍‌ ଯୋଡ଼ିଥିଲେ। ହାର୍ଦିକ ୨୦ ବଲ୍‌ରୁ ୨ଟି ଚୌକା ସହ ୨୨ ଏବଂ କ୍ରୁନାଲ ୨୨ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୧ ରନ୍‌କରି ଅପରାଜିତ ଥିଲେ। ୱାଟ୍‌ସନ ୨ଟି ୱିକେଟ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button