ଖେଳ

ୱାଟସନଙ୍କ ଲଢୁଆ ପ୍ରଦର୍ଶନରେ ଜିତିଲା ଚେନ୍ନାଇ

ଆ.ଓ.ରି(ତା୧୧|୪)-ଆଇପିଏଲ୍‌-୧୧ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପୁଣି ଏକ ରୋମାଞ୍ଚକର ମ୍ୟାଚ୍‌ରେ ବିଜୟୀ ହୋଇଛି। ମଙ୍ଗଳବାର ସେନ୍‌ ୱାଟ୍‌ସନ୍‌ ଓ ସାମ୍‌ ବିଲିଙ୍ଗ୍‌ସଙ୍କ ନିସ୍ତୁକ ପ୍ରହାର ବଳରେ କଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୫ ୱିକେଟରେ ଚେନ୍ନଇ ପରାସ୍ତ କରିଛି। ଆନ୍ଦ୍ରେ ରସେଲଙ୍କ ୧୧ଟି ଛକା ସହ ଅପରାଜିତ ୮୮ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍‌ ୬ ୱିକେଟରେ ୨୦୨ ରନ୍‌ କରିଥିଲା। ପରେ ସାମ୍‌ ବିଲିଙ୍ଗ୍‌ସଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍‌ ବାକିଥାଇ ୫ ୱିକେଟ ହରାଇ ୨୦୩ ରନ୍‌ର ପିଛାକରି ଚେନ୍ନଇ ଜିତିଥିଲା।
କେକେଆର୍‌ ଝଡ଼ ପରି ଇନିଂସ ଶେଷ କରିଥିବା ବେଳେ ଚେନ୍ନଇ ସୁପର କିଙ୍ଗ୍‌ସ ଝଡ଼ ପରି ଇନିଂସ ଆରମ୍ଭ କରିଥିଲା। ୬ ଓଭରରେ ଚେନ୍ନଇ ୭୫ ରନ୍‌ କରିଥିଲା। ଓପ୍‌ନିଂ ଯୋଡ଼ି ୭୫ ରନ୍‌ କରିବା ପରେ ମାତ୍ର ୧୯ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ବିସ୍ଫୋରକ ୪୨ ରନ୍‌କରି ସେନ୍‌ ୱାଟ୍‌ସନ ଆଉଟ ହୋଇଥିଲେ। ପରେ ଅମ୍ବତି ରାୟୁଡୁ ୨୬ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୯ ରନ୍‌କରି ବିଦାୟ ନେଇଥିଲେ। ଫଳରେ ରନ୍‌ଗତି ଧିମେଇ ଯାଇଥିଲା ଏବଂ ସୁରେଶ ରୈନା ୧୪ ରନ୍‌କରି ଆଉଟ ହୋଇଥିଲେ। ୭ ଓଭରରୁ ଚେନ୍ନଇ ୯୧ ରନ୍‌ ଆବଶ୍ୟକ କରୁଥିବା ବେଳେ ସାମ୍‌ ବିଲିଙ୍ଗ୍‌ସ ଆକ୍ରମଣ ଆରମ୍ଭ କରିଥିଲେ। ତେବେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଧିମା ବ୍ୟାଟିଂକରି ୨୮ ବଲ୍‌ରୁ ୨୫ ରନ୍‌କରି ଆଉଟ ହୋଇଥିଲେ। ୯ଟି ବଲ୍‌ରୁ ୧୯ ରନ୍‌ ଆବଶ୍ୟକ ଥିବା ବେଳେ ବିଲିଙ୍ଗ୍‌ସ ଆଉଟ ହୋଇ ଯାଇଥିଲେ। ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିଲିଙ୍ଗ୍‌ସ ୨୩ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୫୬ ରନ୍‌ କରିଥିଲେ। ଶେଷ ଓଭରରେ ୧୭ ରନ୍‌ ଆବଶ୍ୟକ ଥିବା ବେଳେ ବିନୟ କୁମାରଙ୍କ ପ୍ରଥମ ବଲ୍‌ ନୋବଲ୍‌ ଏବଂ ଏଥିରେ ଛକା ହେବାରୁ ଚେନ୍ନଇର ବିଜୟ ସହଜ ହୋଇ ଯାଇଥିଲା। ଟମ୍‌ କରନ୍‌ ୨ଟି ୱିକେଟ ପାଇଥିଲେ।
ଚେନ୍ନଇ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ୧୫ ଓଭର ଯାଏଁ ଏହା କଲକାତା ନାଇଟ ରାଇଡର୍ସକୁ ନିୟନ୍ତ୍ରଣରେ ରଖିଥିଲା। ୧୫ ଓଭରରେ କେକେଆର୍‌ ୫ ୱିକେଟରେ ୧୨୩ ରନ୍‌ କରିଥିଲା। ତେବେ ଶେଷ ୫ ଓଭରରୁ  କେକେଆର୍‌ ୭୯ ରନ୍‌ ନେଇଥିଲା। ଆନ୍ଦ୍ରେ ରସେଲ ଝଡ଼ ପରି ଚେନ୍ନଇ ଉପରେ ବର୍ଷିଥିଲେ ଏବଂ ବଲ୍‌ସବୁ ଗ୍ୟାଲେରୀରେ ଏବଂ ଗ୍ୟାଲେରୀ ବାହାରେ ପଡ଼ିଥିଲା। ଫଳରେ ଚଳିତ ଆଇପିଏଲ୍‌ରେ ପ୍ରଥମ ଦଳ ଭାବେ କେକେଆର୍‌ ୨ ଶହ ରନ୍‌ ପାର କରି ପାରିଥିଲା। ସୁନୀଲ ନାରାୟଣ ୪ଟି ବଲ୍‌ରୁ ୨ଟି ଛକା ସହ ୧୨ ରନ୍‌କରି ଆଉଟ ହେବା ପରେ ଅଷ୍ଟ୍ରେଲୀୟ ଓପ୍‌ନର କ୍ରିସ୍‌ ଲିନ୍‌ ୧୬ ବଲ୍‌ରୁ ୪ଟି ଚୌକା ସହ ୨୨ ରନ୍‌ କରିଥିଲେ। ବାମହାତି ନୀତୀଶ ରାଣା ୧୪ ବଲ୍‌ରୁ ୧୬ ରନ୍‌କରି ପାରିଥିଲେ। ରବିନ୍‌ ଉଥପ୍ପା ଆକ୍ରମଣାତ୍ମକ ବ୍ୟାଟିଂକରି ୧୬ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇଥିଲେ। କେକେଆର୍‌ ୧୦ ଓଭରରେ ୫ ୱିକେଟରେ ୮୯ ରନ୍‌ କରିଥିଲା। ପରେ ଅଧିନାୟକ ଦିନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ପରବର୍ତ୍ତୀ ୫ ଓଭରରୁ ୩୪ ରନ୍‌ ନେଇଥିଲେ। ତେବେ ଶେଷ ୫ ଓଭର ଚେନ୍ନଇକୁ ବ୍ୟତିବ୍ୟସ୍ତ କରି ଦେଇଥିଲା। ରସେଲ୍‌ଙ୍କ ନିର୍ଦୟ ପ୍ରହାର ଯୋଗୁଁ ଏହି ୫ ଓଭରରେ ୭୯ ରନ୍‌ ହୋଇଥିଲା। ଏଥରୁ ରସେଲ ୬୮ ରନ୍‌ ମାରିଥିଲେ। ରସେଲ ବିଧ୍ୱଂସୀ ବ୍ୟାଟିଂକରି ୩୬ ବଲ୍‌ରୁ ୧୧ଟି ଛକା ଓ ଗୋଟିଏ ଚୌକା ସହ ୮୮ ରନ୍‌କରି ଅପରାଜିତ ଥିଲେ। କାର୍ତ୍ତିକ ୨୫ ବଲ୍‌ରୁ ୨୬ ରନ୍‌ କରିଥିଲେ। ସେନ୍‌ ୱାଟ୍‌ସନ ୨ଟି ୱିକେଟ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button