ଅପରାଧ

ଚାକିରୀ ନାଁରେ ଠକେଇ

ଆ.ଓ.ରି(ତା୨୦|୫)-

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବେଳେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି।  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଚୁକ୍ତି କରି ଭିନ୍ନ ଭିନ୍ନ ସଂସ୍ଥା କର୍ମଚାରୀ ଯୋଗାଇ ଦେଉଥିବା ବେଳେ ଚାକିରି ନାଁରେ କିଛି ଯୁବକଙ୍କୁ ଠକେଇ ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ, ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ନାଁରେ ଏକ ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଟେଣ୍ଡର ହାତେଇ ଥିବା କଥା ବି ସାମ୍ନାକୁ ଆସିଛି।

ଚାକିରୀ ନାଁରେ ଠକେଇର ଶିକାର ହୋଇଛନ୍ତି ୩୪ ଯୁବକ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଚତୁର୍ଥ ଶ୍ରେଣୀ ପଦବୀରେ ସ୍ଥାୟୀ ଚାକିରି ଦେବାକୁ କହି ମୋଟା ଅଙ୍କର ଟଙ୍କା ନେଇ ଲାପତ୍ତା ହୋଇଯାଇଛି କମ୍ପାନୀ।

ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାର ୧୩ଟି ଆଦର୍ଶ ବିଦ୍ୟାଳୟରେ ଆଟେଣ୍ଡାଣ୍ଟ୍, ଓ୍ୱାଚମ୍ୟାନ୍  ଓ ପିଅନ ପଦବୀରେ ନିଯୁକ୍ତି ଦେଇ ବହୁ ଚାକିରୀ ଆଶାୟୀଙ୍କଠାରୁ ଟଙ୍କା ନେଇଥିଲା ଗ୍ରୁପ୍ ଫାଇଭ ସିକ୍ୟୁରିଟି ସଂସ୍ଥା। ହେଲେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କୌଣସି କାରଣରୁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିବାରୁ କମ୍ପାନୀରୁ ୩୪ କର୍ମଚାରୀ ଛଟେଇ ହୋଇଛନ୍ତି। ଏପଟେ ଜଗନ୍ନାଥ ସିକ୍ୟୁରିଟି ସର୍ଭିସ୍ ନାଁରେ ଆଉ ଏକ ନୂଆ ସଂସ୍ଥା ମାନବସମ୍ବଳ ଯୋଗାଣର ନୂଆ ଦାୟିତ୍ୱ ନେଇଥିଲେ ବି ପୁରୁଣା କର୍ମଚାରୀଙ୍କୁ ଗ୍ରହଣ କରିନି। ଫଳରେ ୧୦ ମାସ ଧରି ବିନା ଦରମାରେ କାମ କରି ଏବେ ଛଟେଇ ହୋଇଥିବାରୁ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି ଏହି କର୍ମଚାରୀ।

ଏହି ସବୁ ଅଭିଯୋଗ ଭିତରେ ଆଉ ଏକ ବଡ଼ ବେନିୟମ କାର୍ଯ୍ୟର ବି ପର୍ଦ୍ଦାଫାସ ହୋଇଛି। ପୁରୁଣା କର୍ମଚାରୀଙ୍କୁ ଚାକିରି ଦେଉନଥିବା ନୂଆ ସଂସ୍ଥା ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଟେଣ୍ଡର ହାତେଇ ଥିବା କଥା ସାମ୍ନାକୁ ଆସିଛି।

ଏପରିକି ଏହି ସଂସ୍ଥା ୫ଟି ଜିଲ୍ଲାରେ ଓଏଭି ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୋଗାଇ ଦେବାକୁ ଅନୁମତି ପାଇଥିଲେ ବି ଅତିରିକ୍ତ ପୋଲିସ ଡିଜିଙ୍କ ଚିଠି ଜାଲ କରି ୫ ଜିଲ୍ଲା ପରିବର୍ତ୍ତେ ସବୁ ଜିଲ୍ଲା ପାଇଁ ଅନୁମତି ପାଇଥିବା ଉଲ୍ଲେଖ କରିଛି। ADGଙ୍କ ଚିଠିକୁ ଜାଲିଆତି କରି ଏହି ସଂସ୍ଥା କଳାହାଣ୍ଡି ଜିଲ୍ଲାରେ ବେଆଇନ୍  ଭାବେ ଓଏଭିରେ କର୍ମଚାରୀ ଯୋଗାଣ ଲାଗି ଟେଣ୍ଡର ହାସଲ କରିଥିବା RTIରେ ଜଣା ପଡ଼ିବା ପରେ ସଂପୃକ୍ତ ସଂସ୍ଥା ବିରୋଧରେ ଥାନାରେ ମାମଲା ଦାଏର ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button