କଳା ଓ ସଂସ୍କୃତି

ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେଲା

ଆଓରି(ତା୧୯|୪)- ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଗଜପତିଙ୍କ ଶ୍ରୀନଅର ସମ୍ମୁଖରେ ବିଜେ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୩ଖଣ୍ଡ ଧଉରା କାଠକୁ ସ୍ନାନ କରାଯାଇ ରଖାଯାଇଥିଲା। ଦେଉଳ ପୁରୋହିତ ଏବଂ ଶ୍ରୋତ୍ରିୟ ବ୍ରାହ୍ମଣ ଅପରାହ୍ନରେ ରଥଖଳାରେ ବନଯାଗର ସଂକ୍ଷିପ୍ତ ପଦ୍ଧତିରେ ରଥକାଠ ଅନୁକୂଳ ନୀତି କରିଥିଲେ। ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନି ଆଣି ହୋମରେ ଅଗ୍ନି ସ୍ଥାପନ କରାଯାଇଥିଲା। ନୃସିଂହ ମନ୍ତ୍ରରେ ଆହୁତି ଦିଆଯାଇଥିଲା। ଏହାପରେ ମା’ ଦକ୍ଷିଣ କାଳୀଙ୍କ ମନ୍ତ୍ରରେ ନୂତନ ଭାବେ ଅଣାଯାଇଥିବା ୩ଟି କୁରାଢ଼ିକୁ ଅଭିମନ୍ତ୍ରିତ କରି ପୂଜା କରାଯାଇଥିଲା। ଅପରପକ୍ଷେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣ ଦୁଇ ଦେବଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ କରାଇଥିଲେ। ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଣି ବିମାନରେ ବିଜେ କରାଇଥିଲେ। ୩ ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ୩ ଗୋଟା ଆଜ୍ଞାମାଳ ନେଇ ପାଲିଙ୍କି ଓ ବିମାନ ଆଗେ ଆଗେ ରଥଖଳାକୁ ଯାଇଥିଲେ। ବିମାନ ବଡୁମାନେ ପାଲିଙ୍କି ଓ ବିମାନରେ ଠାକୁରଙ୍କୁ ନେଇ ସିଂହଦ୍ୱାର ଦେଇ ବଡ଼ଦାଣ୍ଡକୁ ଓହ୍ଲାଇ ରଥଖଳାରେ ପହଞ୍ଚତ୍ଥିଲେ। ଠାକୁରଙ୍କ ପଛେ ପଛେ ବିମାନରେ ପଞ୍ଚ ମହାଦେବ ଆସିଥିଲେ। ଏହାପରେ ତିନି ଠାକୁରଙ୍କ ୩ ଗୋଟା ଆଜ୍ଞାମାଳ ୩ ଖଣ୍ଡ କାଠରେ ବିଜେ କରାଯାଇଥିଲା। ଦେଉଳ ପୁରୋହିତ ପୂଜା ହୋଇଥିବା କୁରାଢିରେ ସ୍ପର୍ଶ କରି ରଥ ନିର୍ମାଣର ଅନୁକୂଳ କରିଥିଲେ।
ବନଯାଗ ପ୍ରକ୍ରିୟାରେ ରଥ ନିର୍ମାଣ ଅନୁକୂଳ ଲାଗି ଦେଉଳ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର, ପଦ୍ମନାଭ ମହାପାତ୍ର ଓ ଦେବାଶିଷ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆଚାର୍ଯ୍ୟ ଭାବେ ଦେଉଳ ପୁରୋହିତ ଶଶାଙ୍କ ମହାପାତ୍ର, ଚରୁହୋତା ଓ ରାଜ ପ୍ରତିନିଧି ଦେବୀପ୍ରସାଦ ରାଜଗୁରୁ, ସମୀଧାଚାର୍ଯ୍ୟ ବିଶ୍ୱଜିତ ମହାପାତ୍ର, ସ୍ବସ୍ତିବାଚକ ଗୋପୀନାଥ ରଥ, ବ୍ରହ୍ମାବରଣ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଚାରକ ଓ ମନ୍ତ୍ର ଜାପକମାନେ ବରଣ ହୋଇଥିଲେ। ଏହି ଅବସରରେ ରଥକାର୍ଯ୍ୟ ନିମନ୍ତେ ବିଶ୍ୱକର୍ମାମାନଙ୍କୁ ବରଣ କରାଯାଇଥିଲା। ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ରଥ ନିର୍ମାଣ ସହିତ ସମ୍ପୃକ୍ତ ବିଶ୍ୱକର୍ମାଙ୍କୁ ଶାଢ଼ି ବାନ୍ଧିଥିଲେ। ୩ ବାଡ଼ର ବିଶ୍ୱକର୍ମା ନନ୍ଦିଘୋଷ ରଥର ବିଜୟ କୁମାର ମହାପାତ୍ର, ଶ୍ୟାମସୁନ୍ଦର ମହାରଣା, ସନାତନ ମହାପାତ୍ର, ବଡ଼ଠାକୁରଙ୍କ ତାଳଧ୍ୱଜ ରଥର ନରସିଂହ ମହାପାତ୍ର, ରଘୁନାଥ ସୁବୁଦ୍ଧି ଓ ଶ୍ୟାମସୁନ୍ଦର ମହାରଣା, ସୁଭଦ୍ରାଙ୍କ ଦର୍ପଦଳନ ରଥର କୃଷ୍ଣଚନ୍ଦ୍ର ମହାରଣା ଓ ସୁରେନ୍ଦ୍ର ମହାରଣା ଶାଢି ବନ୍ଧାଇଥିଲେ। ସେହିପରି ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଏବଂ ୬ ଜଣ ଭୋଇ ସେବକ ଶାଢି ବନ୍ଧାଇଥିଲେ। ଶ୍ରୀମନ୍ଦିରରୁ ଆସିଥିବା ତିନି ଆଜ୍ଞାମାଳ ରଥକାଠରେ ଲାଗି ହେବା ପରେ ତିନିବାଡ଼ର ବିଶ୍ୱକର୍ମା ଉକ୍ତ ଆଜ୍ଞାମାଳକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଚର୍ଚ୍ଚିକା ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ।
ରଥ ନିର୍ମାଣ ଅନୁକୂଳ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ସାର୍ଥକ କୁମାର ଷଡ଼ଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ, ପ୍ରଶାସକ (ରାଜସ୍ବ) ମଧୁସୂଦନ ଦାସ, ଉନ୍ନୟନ ପ୍ରଶାସକ ବିଶ୍ୱନାଥ ସାହୁ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝିଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button