ବ୍ୟକ୍ତିତ୍ଵ

ଚନ୍ଦ୍ରିକା ମହାପାତ୍ରଙ୍କ ପରଲୋକ

ଆଓରି(ତା୧୨|୪)- 

ଜଣାଶୁଣା ସମାଜସେବୀ ତଥା ସାବିତ୍ରୀ ପତ୍ରିକାର ସମ୍ପାଦିକା ଚନ୍ଦ୍ରିକା ମହାପାତ୍ରଙ୍କର ପରଲୋକ ଘଟିଛି। ହୃଦ୍‌ଘାତର ଶିକାର ହୋଇ ଗତ ରବିବାରଠାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତି ୮ଟା ୨୦ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ଶେଷ ସମୟରେ ସ୍ବାମୀ ଡାକ୍ତର ଶିବନାରାୟଣ ମହାପାତ୍ର ଏବଂ ବଡଝିଅ ଆଦିତୀ ରଥ ତାଙ୍କ ପାଖରେ ଉପସ୍ଥିତ ଥିଲେ। ତାଙ୍କ ଦ୍ୱିତୀୟ ଝିଅ ଧରିତ୍ରୀ ମହାପାତ୍ର ବିଦେଶରେ ରହୁଛନ୍ତି। ଗୁରୁବାର ସେ ଓଡ଼ିଶାରେ ପହଞ୍ଚତ୍ବା ପରେ ଚନ୍ଦ୍ରିକାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡିଛି।
ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଭଉଣୀ ହେଉଛନ୍ତି ଚନ୍ଦ୍ରିକା। ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ସେ କନ୍ୟା ଥିଲେ। ଚନ୍ଦ୍ରିକା ଶ୍ରୀମା, ଶ୍ରୀ ଅରବିନ୍ଦଙ୍କ ଅନୁଗାମୀ ଥିଲେ। ବିଜୟା ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ଗଢ଼ି ସମାଜସେବାରେ ନିୟୋଜିତ ଥିଲେ। ବିଶେଷକରି ନାରୀ ସ୍ବାଧୀନତା ଓ ନାରୀ ସମସ୍ୟା ଉପରେ ସେ ଗୁରୁତ୍ୱ ଦେଇ ଆସୁଥିଲେ। ସେ ପୂର୍ବରୁ ଓଡ଼ିଶା ରାଜନୀତିର ଜଣେ ଜଣାଶୁଣା ଚେହେରା ଥିଲେ। ୧୯୭୪ ମସିହାରେ ସେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ବିରୋଧରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ। ନିର୍ବାଚନରେ ତାଙ୍କର ପରାଜୟ ଘଟିଥିଲା। ପରବର୍ତ୍ତୀ ସମୟରେ ସେ ରାଜନୀତିରୁ ନିଜକୁ ଦୂରେଇ ନେଇ ସମାଜସେବାରେ ମନୋନିବେଶ କରିଥିଲେ। ଏହାସହ ମାସିକ ପାରିବାରିକ ପତ୍ରିକା ସାବିତ୍ରୀର ପ୍ରକାଶନ ଆରମ୍ଭ କରି ଏହାର ପ୍ରତିଷ୍ଠାତା ସମ୍ପାଦିକା ଭାବେ କାର୍ଯ୍ୟ କରୁଥିଲେ। ସମାଜସେବାରେ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଅତିବାହିତ କରିଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button