ଖେଳ

ଗେଲ୍‍ଙ୍କ ଶତକ

ଆଓରି(ତା୨୦|୪)-  ଆଇପିଏଲ୍‍-୧୧ରେ ପ୍ରଥମ ଶତକ ସ୍କୋର୍‍ କରିଛନ୍ତି କ୍ରିସ୍‍ ଗେଲ୍‍। କିଙ୍ଗ୍‍ସ ଏକାଦଶର ଏହି ଓପ୍‍ନର ୬ଷ୍ଠ ଆଇପିଏଲ୍‍ ଶତକ ସହ ମୋଟଉପରେ ୨୧ତମ ଟି୨୦ ଶତକ ହାସଲ କରିଛନ୍ତି। ଫଳରେ ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‍ରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ୧୫ ରନ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି। ଗେଲ୍‍୍‍ଙ୍କ ଅପରାଜିତ ୧୦୪ ରନ୍‍ ବଳରେ କିଙ୍ଗ୍‍ସ ଏକାଦଶ ୩ ୱିକେଟରେ ୧୯୩ ରନ୍‍ କରିଥିଲା। ପରେ କେନ୍‍ ୱିଲିୟମ୍‍ସନ ଓ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ସନ୍‍ରାଇଜର୍ସ ୪ ୱିକେଟ ହରାଇ ୧୭୮ ରନ୍‍ କରି ପାରିଥିଲା। ୪ର୍ଥ ମ୍ୟାଚ୍‍ରେ ପଞ୍ଜାବର ଏହା ୩ୟ ବିଜୟ। କ୍ରମାଗତ ୩ଟି ମ୍ୟାଚ୍‍ ଜିତିଥିବା ସନ୍‍ରାଇଜର୍ସ ହାଇଦରାବାଦର ଏହା ପ୍ରଥମ ପରାଜୟ।
ସନ୍‍ରାଇଜର୍ସ ହାଇଦରାବାଦ ୧୯୪ ରନ୍‍ର ପିଛା କରିଥିବା ବେଳେ ପ୍ରଥମ ଓଭରରେ ଶିଖର ଧାୱନ୍‍ ଆହତ ହୋଇ ଫେରି ଯାଇଥିଲେ। ପରେ ଋଦ୍ଧିମାନ ଶାହା ୬ ଓ ୟୁସୁଫ୍‍ ପଠାନ୍‍ ୧୩ ବଲ୍‍ରୁ ୩ଟି ଚୌକା ସହ ୧୯ ରନ୍‍କରି ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ଅଧିନାୟକ କେନ୍‍ ୱିଲିୟମ୍‍ସନ ଓ ମନୀଷ ପାଣ୍ଡେ ୭୬ ରନ୍‍ ଯୋଡ଼ିଥିଲେ। ୱିଲିୟମ୍‍ସନ ୪୧ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୫୪ ରନ୍‍ କରିଥିଲେ। ପାଣ୍ଡେ ୪୨ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୭ ଏବଂ ସାକିବ୍‍ ୧୨ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‍କରି ଅପରାଜିତ ଥିଲେ। ମୋହିତ ଶର୍ମା ୨ଟି ୱିକେଟ ପାଇଥିଲେ।
କିଙ୍ଗ୍‍ସ ଏକାଦଶ ପଞ୍ଜାବ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। କେ.ଏଲ୍‍. ରାହୁଲ ଓ କ୍ରିସ୍‍ ଗେଲ୍‍ ଆରମ୍ଭରୁ ଜଗିରଖି ଖେଳି ୮ ଓଭରରେ ୫୩ ରନ୍‍ର ଭାଗିଦାରୀ କରିଥିଲେ। ରାହୁଲ ୨୧ ବଲ୍‍ରୁ ୧୮ ରନ୍‍କରି ଆଉଟ ହୋଇଥିଲେ। ମୟଙ୍କ ଅଗ୍ରୱାଲ ୯ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‍କରି ଆଉଟ ହୋଇଥିଲେ। ଗେଲ୍‍ ଓ କରୁଣ ନାୟାରଙ୍କ ମଧ୍ୟରେ ୩ୟ ୱିକେଟ ଯୋଡ଼ି ଫଳପ୍ରସୂ ହୋଇଥିଲା। ଦୁହେଁ ୪୪ ବଲ୍‍ରୁ ୮୫ ରନ୍‍ ଯୋଡ଼ିଥିଲେ। ନାୟାର ୨୧ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍‍ କରିଥିଲେ। ତେବେ ପୂରା ଇନିଂସ ଥିଲା ‘କ୍ରିସ୍‍ ଗେଲ୍‍ ସୋ’। ଗତ ମ୍ୟାଚ୍‍ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲକରି ଆଇପିଏଲ୍‍-୧୧ରେ ପଦାର୍ପଣ କରିଥିବା ଗେଲ୍‍ ଏହି ମ୍ୟାଚ୍‍ରେ ଆଉ ପାଦେ ଆଗେଇଯାଇ ଶତକ ହାସଲ କରିଛନ୍ତି। ୬ଷ୍ଠ ଶତକ ହାସଲକରି ଗେଲ୍‍ ଆଇପିଏଲ୍‍ରେ ସର୍ବାଧିକ ଶତକ ହାସଲକାରୀ ହୋଇଛନ୍ତି। ଗେଲ୍‍ ପ୍ରଥମ ୫୦ ରନ୍‍ ୩୯ ବଲ୍‍ରୁ ପୂରଣ କରିଥିବା ବେଳେ ଦ୍ୱିତୀୟ ୫୦ ରନ୍‍ ୧୯ ବଲ୍‍୍‍ରୁ ପୂରଣ କରିଥିଲେ। ଫଳରେ ଶେଷ ୧୦ ଓଭରରେ କିଙ୍ଗ୍‍ସ ଏକାଦଶ ୧୧୦ ରନ୍‍ ନେଇଥିଲା। ୱେଷ୍ଟଇଣ୍ଡିଜ୍‍ର ବାମହାତି ଗେଲ୍‍ଙ୍କ ୬୩ ବଲ୍‍ରୁ ଅପରାଜିତ ୧୦୪ ରନ୍‍ ଇନିଂସରେ ୧୧ଟି ଛକା ଥିବା ବେଳେ ମାତ୍ର ଗୋଟିଏ ଚୌକା ଥିଲା। ଆଫ୍‍ଗାନ୍‍ ଲେଗ୍‍ସ୍ପିନର ରସିଦ୍‍ ଖାଁଙ୍କୁ ଗେଲ୍‍ଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ୪ ଓଭରରୁ ସେ ୫୫ ରନ୍‍ ଦେଇଥିବା ବେଳେ ସାକିବ୍‍ ଅଲ୍‍ ହାସନ୍‍ ୨ ଓଭରରୁ ୨୮ ରନ୍‍ ଦେଇଥିଲେ। କ୍ରିସ୍‍ ଗେଲ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button