ରାଜ୍ୟ

ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଆଓରି-ଭୁବନେଶ୍ଵର(୦୪/୦୬) : ପୁଣି ଆୟୁଷ୍ମାନ ଯୋଜନାକୁ ନେଇ ଚର୍ଚ୍ଚା । ଅନେକ ଦିନ ଧରି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ଅମଙ୍ଗ  ଥିଲେ । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର । ଏଥିରେ ୭୦ ଲକ୍ଷ ଗରିବ ପରିବାରଙ୍କୁ ସାମିଲ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ବରିଷ୍ଠ ନେତା ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହି ଆୟୁଷ୍ମାନକୁ ନା କରିଥିଲେ ରାଜ୍ୟ ସରକାର । ଏବେ ନିର୍ବାଚନ ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଆୟୁଷ୍ମାନ ଯୋଜନା ସିଇଓ ଇନ୍ଦୁ ଭୁଷଣ ନେତୃତ୍ୱରେ ଆସିଥିବା ୫ ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି  । ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସ୍ୱାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା ପ୍ରମୋଦ କୁମାର ମେହର୍ଦ୍ଦା, କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଳା, ଆଦିତି ଭାର୍ଗବ, ଆସ୍ଥା ଆରୋରା, ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏବେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଛି । ସେମାନେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଲେ ଆମେ ତର୍ଜମା କରିବୁ  । ଯଦି ରାଜ୍ୟ ଉପକୃତ ହେବ ତେବେ ଏହା ଉପରେ ବିଚାର କରାଯାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।


Related Articles

Leave a Reply

Your email address will not be published. Required fields are marked *

Back to top button