ଜାତୀୟ

ଜନ ଧନ ଯୋଜନାରେ କେତେକ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି

ଆଓରି-ନୂଆଦିଲ୍ଲୀ(୬/୯) : ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କେତେକ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥାରେ ପରିବାର ପରିବର୍ତ୍ତେ ଏବେ ସବୁ ପ୍ରାପ୍ତ ବୟସ୍କଙ୍କୁ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ। ଗତକାଲି କ୍ୟାବିନେଟ୍‍ ବୈଠକ ପରେ ନୂଆଦିଲ୍ଲୀଠାରେ ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ କହିଛନ୍ତି ଯେ ଏହି ଯୋଜନାରେ ଓଭରଡ୍ରାଫ୍ଟ ସୁବିଧାର ପରିମାଣକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଓଭର୍‍ଡ୍ରାଫ୍ଟ ପାଇବାର ବୟସ ସୀମା ୧୮ରୁ ୬୦ ପରିବର୍ତ୍ତେ ୧୮ରୁ ୬୫ ବର୍ଷ ରଖାଯାଇଛି। ସେହିଭଳି ରୁପେକାର୍ଡଧାରୀଙ୍କ ପାଇଁ ଦୁର୍ଘଟଣା ବୀମାରାଶି ୧ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଖୋଲାଯାଇଥିବା ନୂଆ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଜମାଖାତା ପାଇଁ ଏହି ସଂଶୋଧିତ ବୀମାରାଶି ଲାଗୁ ହେବ। ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏ ପର୍ଯ୍ୟନ୍ତ ୩୨ କୋଟି ୪୧ଲକ୍ଷ ଜମାଖାତା ଖୋଲାଯାଇଛି ଓ ଏଥିରେ ୮୧ ହଜାର ୨୦୦ କୋଟି ଟଙ୍କା ଜମାରାଶି ରହିଛି। ସେ କହିଛନ୍ତି, ୭ କୋଟି ୫୦ ଲକ୍ଷ ଜନଧନ ଜମାଖାତାଧାରୀଙ୍କୁ ପ୍ରତ୍ୟକ୍ଷ ଲାଭ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଅଟଳ ପେନ୍‍ସନ୍‍ ଯୋଜନାରେ ୧ କୋଟି ୧୧ ଲକ୍ଷ ଲୋକ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୫ କୋଟି ୪୭ ଲକ୍ଷ ଲୋକ ବୀମାଭୁକ୍ତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button