ଜିଲ୍ଲାରାଜ୍ୟ

କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନାରେ ଯାଜପୁରରେ ପ୍ରତିଷ୍ଠା ହେବ ବିଶିଷ୍ଟ ମେଡିକାଲ କଲେଜ

ଆଓରି-ଭୁବନେଶ୍ୱର(୨୮/୬) : ଓଡ଼ିଶାକୁ ପୁଣି ଏକ ନୂତନ ମେଡିକାଲ କଲେଜର ସୌଭାଗ୍ୟ ମିଳିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା ‘ଚ୍ୟାଲେଞ୍ଜିଂ ମୋଡ଼୍’ରେ ଯାଜପୁର ଜିଲାରେ ୧୦୦ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ବୁଧବାର ଅପରାହ୍ଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଗତି ଯୋଜନା ଭିଡ଼ିଓ କନଫରେନ୍ସିଂ ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି ।

ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରସ୍ତାବିତ ତିନୋଟି ଜିଲା ମଧ୍ୟରୁ ଯାଜପୁରରେ ନୂତନ ମେଡିକାଲ କଲେଜ ଲାଗି ପ୍ରସ୍ତାବ ଦେଇଥିଲେ। ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଗ୍ରହଣ କରିବା ସହିତ ଆସନ୍ତା ୧୫ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ(ଡିପିଆର୍) ପଠାଇବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଚ୍ୟାଲେଞ୍ଜିଂ ମୋଡ୍ ଜରିଆରେ ଓଡ଼ିଶାରେ ଗୋଟିଏ ନୂତନ ମେଡିକାଲ କଲେଜ ଲାଗି ୨୦୧୭ରେ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୋଳ, ଢ଼େଙ୍କାନାଳ ଓ ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦିଆଯାଇଥିଲା। ପୂର୍ଣ୍ଣାଙ୍ଗ ରିପୋର୍ଟ(ଡିପିଆର୍) ପାଇବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ। କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପାଇଁ ତାଙ୍କର ଅଂଶଧନ ଦେବାକୁ ରହିଥିବାବେଳେ ରାଜ୍ୟ ସରକାର ଭିତ୍ତିଭୂମି ଓ ଆନୁଷଙ୍ଗିକ ଷ୍ଟାଫ୍ ଯୋଗାଇବେ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାଯାଇଛି।

ଏହି ଅବସରରେ ରାଜ୍ୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ୪୦୦୦ପଞ୍ଚାୟତରେ ବ୍ୟାଙ୍କ ନଥିବାରୁ ସାଧାରଣ ଲୋକେ ଡିବିଟି ସୁବିଧା ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ସଂପୃକ୍ତ ମନ୍ତ୍ରାଳୟର ପଦସ୍ଥ ଅଧିକାରୀଙ୍କ ସହିତ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button