କଳା ଓ ସଂସ୍କୃତି

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତିଆରି ହେବ : ନବୀନ ପଟ୍ଟନାୟକ

ଭୁବନେଶ୍ବର -୨୭।୧୨: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗକୁ ପୃଥକ୍‌ ହୋଇ ଦୁଇଟି ବିଭାଗରେ ପରିଣତ ହେବ। ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ପୃଥକ୍‌ କରି ନାମ “ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ” ବଦଳାଯିବ। ଏହାସହିତ ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା କମିଶନ ଗଠନ କରାଯିବ।
ମଙ୍ଗଳବାର ପ୍ରଥମ କରି ସଚିବାଳୟ ବାହାରେ ଶ୍ରୀକ୍ଷେତ୍ରରେ ବସିଥିବା କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି ରାଜ୍ୟ ସରକାର ଏଭଳି ୨୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବେନଟ ବୈଠକରେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଓ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡିଶାର ସଂସ୍କୃତି, ଐତିହ୍ୟ, ଭାଷା ଏବଂ ସାହିତ୍ୟର ସଂରକ୍ଷଣ ତଥା ପରିବର୍ଦ୍ଧନକୁ ନିଶ୍ଚିତ କରିବା ପାଇଁ ଗଠନ ହେବ ହେରିଟେଜ କ୍ୟାବିନେଟ୍‌ (ଐତିହ୍ୟ କ୍ୟାବିନେଟ)। ପ୍ରତି ଜିଲାରେ ପ୍ରତିଷ୍ଠା କରାଯିବ ସର୍ବସାଧାରଣ ପାଠାଗାର। ପାଠାଗାରରେ ପାଠକଙ୍କ ପାଇଁ ରହିବ ଓଡ଼ିଆ ସାହିତ୍ୟ ପୁସ୍ତକ, କାଳଜୟୀ ଓଡ଼ିଆ ପୁସ୍ତକ ଏବଂ ଓଡ଼ିଆରେ ଭାଷାନ୍ତରିତ ହୋଇଥିବା ଅନ୍ୟ ଭାଷାରେ ପୁରସ୍କୃତ ସାହିତ୍ୟକୃତି।
ଏହି ପାଠାଗାରଗୁଡିକୁ ପର୍ଯ୍ୟାୟକ୍ରମେ ସ୍ମାର୍ଟ ପାଠାଗାରରେ ପରିବର୍ତ୍ତନ କରାଯିବା ପାଇଁ ସ୍ଥିର ହୋଇଛି। ପ୍ରତି ୫ବର୍ଷରେ ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ଇଂଲିଶ, ଫରାସୀ, ଜର୍ମାନୀ, ଜାପାନୀ ଏବଂ ସ୍ପେନୀୟ ଭାଷାର ସହଜ ଶିକ୍ଷା ପ୍ରଣାଳୀ ସହିତ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତ କରାଯିବ। ସର୍ବସାଧାରଣଙ୍କ ଠାରୁ ପ୍ରାପ୍ତ ଓଡ଼ିଆ ଚିଠି, ଅଭିଯୋଗ ପତ୍ର ଏବଂ ପତ୍ରାଳାପର ଉତ୍ତର ଓଡ଼ିଆ ଭାଷାରେ ଦିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button