ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଓ ଡେନା ବ୍ୟାଙ୍କର ମିଶ୍ରଣକୁ ମଞ୍ଜୁରୀ ଦେଲା କେନ୍ଦ୍ରୀୟ କ୍ୟାବିନେଟ
1 min read
ଆଓରି-ନୂଆଦିଲ୍ଲୀ(୦୨/୦୧) : କେନ୍ଦ୍ରୀୟ କ୍ୟାବିନେଟ୍ ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଓ ଡେନା ବ୍ୟାଙ୍କର ମିଶ୍ରଣକୁ ମଞ୍ଜୁରୀ ଦେଇଦେଇଛି । ବୁଧବାର କେନ୍ଦ୍ରୀୟ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରେସ୍ କନଫରେନ୍ସରେ ଏହି ସୂଚନା ଦେଇଛନ୍ତି । ମିଶ୍ରଣ ପରେ ଏହା ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ଦେଶର ତୃତୀୟ ବଡ ବ୍ୟାଙ୍କ ହେବ ।
ରବିଶଙ୍କର ପ୍ରସାଦ କହିଛନ୍ତି ବ୍ୟାଙ୍କିଂ ସେକ୍ଟରରେ ସୁଧାର ଆଣିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି । ଡେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ସବୁ କର୍ମଚାରୀ ଏବେ ବ୍ୟାଙ୍କ ଅଫ ବରୋଦାକୁ ଆସିଯିବେ । କାହାର ସର୍ଭିସରେ କୌଣସି ବି ପରିବର୍ତ୍ତନ ଆସିବନି । ଅନ୍ୟ ପଟେ ବ୍ୟାଙ୍କ ଅଫ ବରୋଦା ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ନିଜ ସହିତ ମିଶ୍ରଣ ପାଇଁ ସେୟାରଗୁଡିକୁର ଅଦଳବଦଳ ଅନୁପାତକୁ ଶେଷ ରୂପେ ଦେଇଛି । ମିଶ୍ରଣ ଯୋଜନା ଅନୁସାରେ ବିଜୟା ବ୍ୟାଙ୍କର ସେୟାର ହୋଲ୍ଡରକୁ ପ୍ରତ୍ୟେକ ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାର ୪୦୨ ଇକ୍ୱିଟି ସେୟାର ମିଳିବ ।
ଡେନା ବ୍ୟାଙ୍କ ମାମଲାରେ ତାର ସେୟାର ହୋଲ୍ଡରଙ୍କୁ ପ୍ରତ୍ୟେକ ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାର ୧୧୦ ସେୟାର ମିଳିବ । ସରକାର ଗତବର୍ଷ ସେପ୍ଟେମ୍ବରରେ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ ବରୋଦା ସହିତ ମିଶ୍ରଣର ଘୋଷଣା କରିଥିଲେ ।
ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏହି ମିଶ୍ରଣକୁ ବିରୋଧ କରୁଛନ୍ତି । ୨୬ ଡିସେମ୍ବର ୨୦୧୮ରେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ହରତାଳ କରିଥିଲେ । ଏହା ପୂର୍ବରୁ ୨୧ ଡିସେମ୍ବରକୁ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ ହରତାଳ କରିଥିଲେ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ କହିଛି ଯେ ମିଶ୍ରଣ ବ୍ୟାଙ୍କର ହିତରେ ନୁହେଁ ବରଂ ମିଶ୍ରଣ ଫଳରେ ଏହା ଉଭୟଙ୍କ ପାଇଁ ହାନିକାରକ ।