ରାଜ୍ୟ

ଭିଜିଲାନ୍ସ ଜାଲରେ ବୁଗୁଡ଼ା ତହସିଲ କିରାଣି

ବୁଗୁଡ଼ା- ଗଞ୍ଜାମ ଜିଲା ବୁଗୁଡ଼ା ତହସିଲ କାର୍ଯ୍ୟାଳୟର କିରାଣି ଦିଲୀପ ମଲ୍ଲିକ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। ଦିଲୀପଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚୁରା ନିମନ୍ତେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଏ ନେଇ ନଂ.୧/୧୮ରେ ଏକ ମାମଲା ରୁଜୁ ହୋଇଛି।

ବୁଗୁଡ଼ା ତହସିଲ ସୁବୁଦ୍ଧିପଲ୍ଲୀ ଗ୍ରାମର ଦଣ୍ଡପାଣି ବେହେରା ୨୦୧୭ ମାର୍ଚ୍ଚରେ ୬ଟି ପଟ୍ଟା ମ୍ୟୁଟେଶନ ପାଇଁ କିରାଣି ଦିଲୀପଙ୍କ ପାଖକୁ ଯାଇ ବୁଝାବୁଝି କରିଥିଲେ। ପରେ ମ୍ୟୁଟେଶନ ପାଇଁ ଆବେଦନ ମଧ୍ୟ କରିଥିଲେ। ୬ ତାରିଖରେ ଏ ସମ୍ପର୍କରେ ସେ ଦିଲୀପଙ୍କ ସହ କଥା ହୋଇଥିଲେ। ମ୍ୟୁଟେଶନ କରିବା ପାଇଁ ୧୦ ହଜାର ଟଙ୍କା ନେବେ ବୋଲି ଦିଲୀପ କହିଥିଲେ। ଦଣ୍ଡପାଣି ୬ ହଜାର ଟଙ୍କା ଦେବାକୁ ରାଜି ହୋଇଯାଇ ସୋମବାର ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ। ଭିଜିଲାନ୍ସ ଟିମ ଦିଲୀପଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଦଣ୍ଡପାଣି ୬ ହଜାର ଟଙ୍କା ଧରି ତହସିଲ କାର୍ଯ୍ୟାଳୟକୁ ଆସିଥିଲେ । ଦିଲୀପ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଦଣ୍ଡପାଣି ଟଙ୍କା ଦେବାକୁ ଯାଇଥିବାବେଳେ ଦିଲୀପ ଆଲମାରି ଉପରେ ରଖିବାକୁ କହିଥିଲେ। ଏହି ସମୟରେ ବାହାରେ ଥିବା ଭିଜିଲାନ୍ସ ଟିମ ଉକ୍ତ ଟଙ୍କାକୁ ଜବତ କରି ଦିଲୀପଙ୍କୁ କାବୁ କରିଥିଲେ। ଭାରପ୍ରାପ୍ତ ତହସିଲଦାର ଦିବାକର ପାତ୍ରଙ୍କୁ ମଧ୍ୟ ପଚାରାଉଚୁରା ପାଇଁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଡିଏସପି ବଂଶୀଧର ନାୟକ, ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ନାୟକ, ରାଜୀବ ଲୋଚନ ବେହେରା, କୁମୁଦିନୀ ସାହୁ ଓ କୃଷ୍ଣା କୁମାରୀ ପ୍ରଧାନ ଚଢ଼ାଉ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button