ଭାଙ୍ଗିଲା ବିଏସପି ଆଉ ସମାଜବାଦୀ ପାର୍ଟି ମେଣ୍ଟ
1 min read
ଆଓରି-ନୂଆଦିଲ୍ଲୀ(୨୪/୦୬) : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢ଼ିବାକୁ ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ଦ୍ୱାର ଖୋଲା ରଖିଥିଲେ। କିନ୍ତୁ ସୋମବାର ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଅଖିଳେଶଙ୍କ ପାଇଁ ବିଏସପିର ସବୁ ଦ୍ଵାର ବନ୍ଦ କରିଦେବା ସହିତ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି ମାୟାବଦୀ ସୂଚନା ଦେଇଛନ୍ତି। ଏହା ସହ ସମାଜବାଦୀ ପାର୍ଟି ସହିତ ତାଙ୍କ ଦଳ ସବୁଦିନ ପାଇଁ ମେଣ୍ଟ ଭାଙ୍ଗିଲା ବୋଲି ମାୟାବତୀ ଟ୍ଵିଟ୍ କରି ଜଣାଇଛନ୍ତି।
ମାୟାବତୀ କହିଛନ୍ତି, ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ବ୍ୟବହାର ତାଙ୍କୁ ବ୍ୟଥିତ କରିଛି। ନିର୍ବାଚନରେ ବିଫଳତା ପରେ ଅଖିଳେଶ ତାଙ୍କୁ ଦିନେ ଭେଟି ନାହାନ୍ତି କି ଫୋନ ବି କରିନାହାନ୍ତି। ତେଣୁ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଦଳର ସ୍ବାର୍ଥ ଦୃଷ୍ଟିରୁ ବିଏସପି ଆଗାମୀ ଭବିଷ୍ୟତରେ ସମସ୍ତ ନିର୍ବାଚନ ଏକା ଲଢ଼ିବ। ରବିବାର ଦିନ ପ୍ରାୟ ଅଢ଼େଇ ଘଣ୍ଟା ଧରି ମାୟାବତୀ ନିର୍ବାଚନରେ ଦଳର ପ୍ରଦର୍ଶନର ସମୀକ୍ଷା କରିବା ପରେ ଏପରି ଟ୍ଵିଟ୍ କରିଛନ୍ତି।
ରାଜ୍ୟର ଏହି ଦୁଇଟି ବୃହତ୍ତ ଆଞ୍ଚଳିକ ଦଳ ଦୀର୍ଘଦିନର ବିବାଦକୁ ଭୁଲ ଗତବର୍ଷ ମହାମେଣ୍ଟ ଗଠନ କରିଥିଲେ। ଉଦ୍ଦେଶ୍ୟ ଥିଲା ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା। କିନ୍ତୁ ଏସପି-ବିଏସପି ମହାମେଣ୍ଟ ବିଜେପିକୁ ରୋକିବାରେ ବିଫଳ ହୋଇଥିଲା। ୮୦ ଲୋକସଭା ଆସନରୁ ବିଜେପି ୬୨ ଆସନରେ ବିଜୟୀ ହୋଇଥିଲା। ମହାମେଣ୍ଟକୁ ୧୫ ଆସନ ମିଳିଥିବା ବେଳେ ସେଥିରୁ ବିଏସପି ୧୦ ଏବଂ ଏସପି ୫ଟି ଆସନରେ ଜିତିଥିଲା।