ବିଧାୟକଙ୍କ ଗିରଫ ଦାବିରେ ରାଜରାସ୍ତାରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ
1 min read
ଆଓରି-ଭୁବନେଶ୍ଵର(୨୦/୦୬) : ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହରଙ୍କ ଲାଗି ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ସେପଟେ କଲମଛାଡ ଆନ୍ଦୋଳନ କରିଥିବା କନିଷ୍ଠ ଯନ୍ତ୍ରୀ ସଂଘ ଆଜି ରାଜଧାନୀ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ଆସୋସିଏସନ ସହିତ ଆଲୋଚନା କରି ଆନ୍ଦୋଳନର ଚେତାବନୀ ଦେଇଛି।
ସର୍ବ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରିବା ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମାଡ଼ ମରାଇବା ଘଟଣାକୁ ଗୋଟିଏ ସପ୍ତାହେରୁ ଅଧିକ ବିତିଲାଣି ତଥାପି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆସନ୍ତାକାଲି ବଲାଙ୍ଗୀରରେ ଆନ୍ଦୋଳନ କରିବା ସହ ୨୬ ତାରିଖରେ ବିଧାନସଭା ଘେରାଉ କରିବା ପାଇଁ ଦେଇଛି ଚେତାବନୀ । ସେପଟେ ଶାସକ ଦଳର ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
କାହା ଚାପରେ ଚୁପ ବସିଛି ଜିଲ୍ଲା ପ୍ରଶାସନ? କାହିଁକି ସରୋଜ ମେହେରଙ୍କୁ ଗିରଫ କରୁନି ପୋଲିସ ଏହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ବିଜେଡି ବିଧାୟକଙ୍କ ଏପରି ଦବଙ୍ଗଗିରି ହାଟରେ ପଡି ଦାଣ୍ଡରେ ଗଡୁଛି । ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ହେଲେ ଏହାସତ୍ତ୍ୱେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ଜିଲ୍ଲା ପ୍ରଶାସନ ।
ଗୋଟିଏ ପଟେ ବିଧାୟକଙ୍କ ଉପରେ ରହିଛି ଅଦୃଶ୍ୟ ହାତ । ଏପରି ଅଭିଯୋଗ ହେଉଥିବା ବେଳେ ଆଜି ସରକାରଙ୍କୁ ସିଧାସଳଖ ଘେରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।