March 23, 2023

୭ଦିନ ପାଇଁ ହାଜତକୁ ଗଲେ ବିଧାୟକ

1 min read

ଆଓରି(ତା୧୫|୪)- ଉତ୍ତରପ୍ରଦେଶ ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ସିବିଆଇ ଦ୍ୱାରା ଶୁକ୍ରବାର ଗିରଫ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ୭ଦିନ ପାଇଁ ସିବିଆଇ ହାଜତକୁ ପଠାଯାଇଛି। ସେନଗାରଙ୍କୁ ଶନିବାର ପୂର୍ବାହ୍ଣରେ ଲକ୍ଷ୍ନୌର ସିବିଆଇ ଅଦାଲତରେ ହାଜର କରାଯାଇଥିଲା। ଅଦାଲତରେ ହାଜର ସମୟରେ କୁଲଦୀପ ନିଜର ଦୋଷ ସ୍ୱୀକାର କରିବା ପରିବର୍ତ୍ତେ ନିଜକୁ ନିର୍ଦୋଷ ବୋଲି ଦାବି କରିଥିଲେ। ଗଣମାଧ୍ୟମକୁ ସେ କହିଥିଲେ ଯେ ‘ନ୍ୟାୟପାଳିକା ଓ ଭଗବାନଙ୍କ ଉପରେ ମୋର ବିଶ୍ୱାସ ରହିଛି; ତେଣୁ ଅଦାଲତ ମୋତେ ଖୁବଶୀଘ୍ର ଦୋଷମୁକ୍ତ କରିବେ।’ ଉନ୍ନାଓ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କୁଲଦୀପଙ୍କୁ ସିବିଆଇ ଶୁକ୍ରବାର ଭୋରରୁ ଘରୁ ଉଠାଇ ଆଣି ଅଟକ ରଖିଥିଲା। ଆଲ୍ଲହାବାଦ ହାଇକୋର୍ଟଙ୍କ ନିର୍ଦେଶ ପରେ ସନ୍ଧ୍ୟାରେ ଗିରଫ କରିଥିଲା। ଅଦାଲତରେ ହାଜର ପୂର୍ବରୁ କୁଲଦୀପଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଏହି ମାମଲାରେ ସିବିଆଇ ଶନିବାର ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ବିଧାୟକଙ୍କ ସହଯୋଗୀ ଶଶି ସିଂହ। ପୀଡିତା ଯୁବତୀଙ୍କ ମା’ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ଶଶୀ ସିଂହ ତାଙ୍କ ଝିଅକୁ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ନିକଟକୁ ନେଇଥିଲେ। ପରବର୍ତ୍ତୀ ସମୟରେ କୁଲଦୀପ ତାଙ୍କ ଝିଅକୁ ବଳାତ୍କାର କରିଥିଲେ। ଅଭିଯୋଗ ଅନୁଯାୟୀ କୁଲଦୀପ ତାଙ୍କ ଝିଅକୁ ଯେଉଁ କୋଠରିରେ ବଳାତ୍କାର କରିଥିଲେ ସେହି କୋଠରି ବାହାରେ ଶଶୀ ଜଗି ରହିଥିଲେ। ଉନ୍ନାଓ ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି। ଅଖିଳେଶ କହିଛନ୍ତି ଯେ ଅଭିଯୁକ୍ତ ବିଧାୟକଙ୍କୁ ପୁଲିସ ମହାନିର୍ଦେଶକ ଓ ଗୃହ ବିଭାଗ ପ୍ରମୁଖ ସଚିବ ଘଣ୍ଟ ଘୋଡ଼ାଉଛନ୍ତି। ସେମାନେ ଏବେ ବି ଅଭିଯୁକ୍ତ ବିଧାୟକଙ୍କୁ ‘ମାନନୀୟ’ ବୋଲି ସମ୍ବୋଧନ କରୁଛନ୍ତି। ଅପରପକ୍ଷରେ ପୀଡ଼ିତା ନାବାଳିକାଙ୍କୁ ସିବିଆଇ ଆଞ୍ଚଳିକ କାର୍ଯ୍ୟାଳୟକୁ ଡକାଯିବା ସହ ସେଠାରୁ ଡାକ୍ତରୀ ମାଇନା ପାଇଁ ନୂଆଦିଲ୍ଲୀର ରାମମନୋହର ଲୋହିଆ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଭରସା ପରେ ସେ ନ୍ୟାୟ ପାଇବା ନେଇ ଆଶାବାଦୀ ଥିବା ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.