ରାଜନୀତି

ବିଜେପିର ଆୟ ବଢିଛି, କଂଗ୍ରେସର କମିଛି

ଆ.ଓ.ରି(ତା୧୧|୪)-

ଭାରତୀୟ ଜନତା ପାର୍ଟି (ବିଜେପି)ର ନିର୍ବାଚନୀ ପ୍ରଦର୍ଶନ ସହିତ ଦଳୀୟ ଆୟରେ ଆନୁପାତିକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେପି ସବୁଠାରୁ ଧନୀ ଦଳ ଭାବେ ଉଭା ହୋଇଛି। କେବଳ ସେତିକି ନୁହେଁ; ଦଳର ନିର୍ବାଚନ ଖର୍ଚ୍ଚରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ଘଟିଛି। ୨୦୧୫-୧୬ ଏବଂ ୨୦୧୬-୧୭ ମଧ୍ୟରେ ଦଳର ଆୟ ପରିମାଣ ୮୧.୧୮% ବୃଦ୍ଧି ହୋଇଥିବାବେଳେ ଏହି ସମୟ ମଧ୍ୟରେ ଏହାର ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆୟ ୧୪% ହ୍ରାସ ପାଇଛି। ଅଣସରକାରୀ ସଂସ୍ଥା ଗଣତାନ୍ତ୍ରିକ ସଂସ୍କାର ସଙ୍ଘ (ଏଡିଆର୍‍) ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିସନଙ୍କ ନିକଟରେ ବିଜେପି ନିଜର ଆୟ ପରିମାଣ ୧୦୩୪.୨୭ କୋଟି ଟଙ୍କା ଦର୍ଶାଇଥିଲା। ଦଳୀୟ ଆୟ ସମ୍ବନ୍ଧୀୟ ପୂର୍ବ ସୂଚନା ତୁଳନାରେ ଏହା ୪୬୩.୪୧ କୋଟି ଟଙ୍କା ଅଧିକ। ୨୦୧୬-୧୭ ମଧ୍ୟରେ ଦଳ ୭୧୦.୦୫୭ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସର ଖର୍ଚ୍ଚ ପରିମାଣ ମାତ୍ର ୩୨୧.୬୬ କୋଟି ଟଙ୍କା ଥିଲା। ପୂର୍ବବର୍ଷ ତୁଳନାରେ କଂଗ୍ରେସର ଏହି ଖର୍ଚ୍ଚ ପରିମାଣ ମାତ୍ର ୯୬.୩୦ କୋଟି ଟଙ୍କା ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି।

କଥିତ ସମୟ ମଧ୍ୟରେ ୭ଟି ଜାତୀୟ ରାଜନୈତିକ ଦଳର ମୋଟ ଆୟ ୧,୫୫୯.୧୭ କୋଟି ଟଙ୍କା ଏବଂ ବ୍ୟୟ ପରିମାଣ ୧,୨୨୮.୨୬ କୋଟି ଟଙ୍କା ଥିଲା। ଅନ୍ୟପଟେ ଏହି ଦଳଗୁଡିକ ସ୍ୱେଚ୍ଛାକୃତ ଦାନ ଭାବେ ୧,୨୬୯.୦୭ କୋଟି ଟଙ୍କା ପାଇଛନ୍ତି, ଯାହାକି ମୋଟ ଆୟର ୭୪.୯୮%। ଏହି ସାତଟି ଦଳ ହେଲେ ବିଜେପି, କଂଗ୍ରେସ, ବିଏସ୍‍ପି, ଏନ୍‍ସିପି, ସିପିଆଇଏମ୍‍, ସିପିଆଇ ଏବଂ ତୃଣମୂଳ କଂଗ୍ରେସ। ରାଜନୈତିକ ଦଳଗୁଡିକ ଆୟର ମୁଖ୍ୟତଃ ତିନୋଟି ଉତ୍ସ ବିଷୟରେ ନିର୍ବାଚନ କମିଶନଙ୍କୁ ସୂଚନା ଦେଇଥିବାବେଳେ ତନ୍ମଧ୍ୟରୁ ଦାନ ଅଥବା ଅନୁଦାନ ଅନ୍ୟତମ ବୋଲି ରିପୋର୍ଟରେ ଦର୍ଶାଯାଇଛି।

୧୯୭୬ ପରଠାରୁ ବିଦେଶରୁ ହାସଲ କରୁଥିବା ପାଣ୍ଠି ବିଷୟରେ ରାଜନୈତିକ ଦଳଗୁଡିକ ସୂଚନା ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଗତ ମାର୍ଚ୍ଚ ମାସରେ ସଂସଦର ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ଏ ନେଇ ବିତ୍ତିୟ ବିଲ୍‍-୨୦୧୮ରେ ୨୧ଟି ସଂଶୋଧନ ପୂର୍ବକ ବୈଦେଶିକ ଅନୁଦାନ (ନିୟନ୍ତ୍ରଣ) ଆଇନ ୨୦୧୦ରେ ପରିବର୍ତ୍ତନ କରାଯାଇଛି। ଏଣୁ ଦଳୀୟ ଆୟ ଏବଂ ବ୍ୟୟ ସମ୍ବନ୍ଧୀୟ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ସୂଚନା ମିଳିପାରି ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button