April 18, 2024

ଓଡ଼ିଶା ବିଜେପି ସଭାପତି ଓ ପ୍ରଭାରୀ! ବଦଳିବେ

1 min read

Baleswar : BJP prime ministerial candidate Narendra Modi waves along with other leaders at the party's Bharat Bijay Samabesha, an election campaign rally, at Baleswar in Odisha on Friday. PTI Photo (PTI4_11_2014_000024A)

ଆଓରି(ତା୨୬|୪)-କର୍ଣ୍ଣାଟକ ନିର୍ବାଚନ ପରେ ଓଡ଼ିଶା ବିଜେପିର ଦଳୀୟ ପଦପଦବୀରେ ବଡ଼ଧରଣରେ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କାରଣ ବିଜେପିର ଦଳୀୟ ଅଦଳବଦଳ ତାଲିକାରେ ଓଡ଼ିଶା ଶୀର୍ଷରେ ଅଛି । ଏହି କ୍ରମରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ପ୍ରଭାରୀ ଅରୁଣ ସିଂ ବିଦା ହେବା ସୁନିଶ୍ଚିତ ବୋଲି ଧରାଯାଉଛି । ଅରୁଣଙ୍କ ସ୍ଥାନରେ ଓଡ଼ିଶାର ପ୍ରଭାରୀ ଭାବେ ରାମ ମାଧବଙ୍କୁ ଅବସ୍ଥାପିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ରାମ ମାଧବଙ୍କୁ ବିଜୟୀ ନେତୃତ୍ୱଙ୍କ ମଧ୍ୟରେ ଗଣାଯାଉଛି । ରାଜ୍ୟ ବିଜେପି ସଭାପତି ଦୌଡ଼ରେ ପ୍ରତାପ ଷଡଙ୍ଗୀ, ସୀମର ମହାନ୍ତି ଏବଂ କେଭି ସିଂହଦେଓଙ୍କ ନାମ ସର୍ବାଗେ ରହିଛି । ସେହିପରି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ସରଦା ଶତପଥୀଙ୍କ ସ୍ଥାନରେ ମାନସରଂଜନ ମହାନ୍ତିଙ୍କୁ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । ବିଶେଷ କରି ଆରଏସ୍‌ଏସ୍‌ ପୃଷ୍ଠଭୂମିରୁ ଆସିଥିବା ନେତାଙ୍କୁ ରାଜ୍ୟ ସଭାପତି ପଦରେ ନିଯୁକ୍ତି ଦିଆଯିବା ଆଶା ବହୁ ମାତ୍ରାରେ ରହିଛି ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି ।

ତେଣୁ ପ୍ରତାପ ଷଡଙ୍ଗୀଙ୍କୁ ରାଜ୍ୟ ସଭାପତି ପଦର ପ୍ରମୁଖ ଦାବିଦାର ବୋଲି କୁହାଯାଉଛି । ନିକଟରେ ଦିଲ୍ଲୀରେ ରାମ ମାଧବଙ୍କୁ ଭେଟିଥିବା ଓଡ଼ିଶା ବିଜେପିର ଦୁଇ ପ୍ରମୁଖ ନେତା ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପରିବର୍ତ୍ତନର ସଂକେତ ଦେଇ ନିର୍ବାଚନ ପୂର୍ବରୁ ଦଳୀୟ ପଦପଦବୀରେ ଅଦଳବଦଳ ହେବ ଓ ଜାତୀୟସ୍ତରରେ ଖାଲି ପଦପଦବୀ ପୂରଣ ହେବ ବୋଲି କହିଛନ୍ତି । ହେଲେ କେବେ ଏହି ପରିବର୍ତ୍ତନ ହେବ ତାହା ସ୍ପଷ୍ଟ କରିନାହାନ୍ତି । କୁହାଯାଉଛି ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ତେଲଙ୍ଗାନା ଏବଂ କେରଳ ବିଜେପିରେ ଦଳୀୟ ପଦପଦବୀରେ ବଡ଼ ଧରଣର ପରିବର୍ତ୍ତନ ହେବ । ଏପରିକି କେତେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ନବୀକରଣ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏହାବାଦ୍‌ ମୁଖପାତ୍ରଙ୍କ କ୍ଷେତ୍ରରେ ବି ଅଦଳବଦଳ ହେବ । ପ୍ରଭାବଶାଳୀ ବିଜେପି ନେତାଙ୍କୁ ଓଡ଼ିଶା ବିଜେପିର ମୁଖପାତ୍ର ପଦରେ ରଖାଯିବ । ଜାତୀୟସ୍ତରରେ ଦଳୀୟ ପଦପଦବୀରେ ନିଯୁକ୍ତି ପାଇଁ ଭଲ ପ୍ରଦର୍ଶନକୁ ମାପଦଣ୍ଡ ଭାବେ ବିବେଚନା କରାଯିବ । ସଂଗଠନର ନିୟମ ଅନୁସାରେ ଅଧ୍ୟକ୍ଷ, କୋଷାଧ୍ୟକ୍ଷ ସମେତ ୪୦ ପଦାଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ । ଏହା ମଧ୍ୟରେ ୧୩ ଉପାଧ୍ୟକ୍ଷ, ୧୦ ସାଧାରଣ ସମ୍ପାଦକ(ଆରଏସ୍‌ଏସ୍‌ ପୃଷ୍ଠଭୂମିରୁ ଆସୁଥିବା ସମ୍ପାଦକ (ସଂଗଠନ), ୧୫ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରହିବା ଆବଶ୍ୟକ । ବର୍ତ୍ତମାନ ଦଳର ସ୍ଥିତି ଅନୁସାରେ ୭ ଉପାଧ୍ୟକ୍ଷ (୬ ପଦ ଖାଲି), ୮ ସାଧାରଣ ମହାସଚିବ (୨ ପଦ ଖାଲି), ୧୧ ସାଧାଣ ସମ୍ପାଦକ (୪ ପଦ ଖାଲି) ରହିଛି । ଏହି ପଦପଦବୀ ପୂରଣ ପାଇଁ ଦେଶର ସବୁ ଅଞ୍ଚଳକୁ ପ୍ରାଧାନ୍ୟ ଦିଆଯିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୂଚନା ଦେଇଛନ୍ତି । ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁତ ପ୍ରଭାବଶାଳୀ ବୋଲି ବିଚାର କରାଯାଉଥିଲା । କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ସହ କୌଶଳ ବିକାଶ ମନ୍ତ୍ରଣାଳୟ ଦିଆଯାଇ ତାଙ୍କ ମୁଣ୍ଡକୁ ଆହୁରି ଉଚ୍ଚା କରାଯାଇଥିଲା । ତେବେ ଓଡ଼ିଶା ଗସ୍ତ ସମୟରେ ଅମିତ ଶାହା ଧର୍ମେନ୍ଦ୍ର କାଟତି ମାପି ଦେଇଛନ୍ତି । ତେଣୁ ଶାହା ସ୍ପଷ୍ଟ ଭାବେ କହିଛନ୍ତି ଯେ ଓଡ଼ିଶାର ଶୀର୍ଷ ନେତୃତ୍ୱ ଚେହେରା ବା ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ । ଅମିତ ଶାହା ଏବେ ପୂର୍ବ ରାଜ୍ୟଗୁଡ଼ିକ ଉପରେ ନଜର ପକାଇଛନ୍ତି । ଏହି କ୍ରମରେ ସେ ଓଡ଼ିଶାକୁ ୩ ଦିନ ଲେଖାଏଁ ୫ଟି ଗସ୍ତ କରିବେ । ଏହା ବିଜେଡିକୁ ଅଡୁଆ ପରିସ୍ଥିତିରେ ପକାଇବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.