ରାଜନୀତିରାଜ୍ୟ

ବିଜେପି ହିଁ ଓଡ଼ିଶାର ଭାଗ୍ୟ ବଦଳାଇପାରିବ: ଅମିତ

ଆଜିର ଓଡିଶା (ତା୬|୪)-

ଭବାନୀପାଟଣା ପରେ ବଲାଙ୍ଗୀରରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏଥି ସହ ମିସନ ୧୨୦ କୁ ଆଉଥରେ ଦୋହରାଇଛନ୍ତି। ଗରିବ ଓଡ଼ିଶାର ଭାଗ୍ୟ ବଦଳାଇବା ପାଇଁ ବିଜେପି ଏଠାରେ ସରକାର ଗଢ଼ିବା ଆବଶ୍ୟକ ବୋଲି କହିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ଦଖଲ ପରେ ହିଁ ବିଜେପିର ସୁବର୍ଣ୍ଣ ଯୁଗ ଆସିବ ବୋଲି ମତବ୍ୟକ୍ତ କରିଛନ୍ତି। ବଲାଙ୍ଗୀର ଐତିହାସିକ କୋଶଳ କଳାମଣ୍ଡଳରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମାବେଶରେ ଉଦବୋଧନ ଦେଇ ଅମିତ ଶାହ ଆଗାମୀ ୨୦୧୯ ନିର୍ବାଚନରେ ଦଳ ୧୨୦ରୁ ଅଧିକ ଆସନ ଜିତିବ ବୋଲି ପୁଣି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦଳର ଯୁବ କର୍ମୀଙ୍କୁ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ଆହ୍ଵାନ ଦେଇଛନ୍ତି। ଯୁବକମାନେ ଏକଜୁଟ ହେଇ ଲଢ଼ିଲେ ଯାଇ ବିଜେପି ମଜଭୁତ ହୋଇପାରିବ। ରାଜ୍ୟ ସରକାର ଓ ବିଜେଡିକୁ ସମାଲୋଚନା କରି ଶାହ କହିଛନ୍ତି ଯେ, ଇତିମଧ୍ୟରେ ରାଜ୍ୟରେ ୧୪ ଜଣ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କରାଗଲାଣି। କାହାରିକୁ ଗିରଫ କରାଯାଇ ନାହିଁ। କିନ୍ତୁ ବିଜେପି ହିଂସାରେ ବିଶ୍ୱାସ କରେନି। ୨୦୧୯ ନିର୍ବାଚନରେ ବିଜେପି ସରକାର ଗଢ଼ିଲେ ହିଂସାକାରୀଙ୍କୁ ଖୋଜି ଖୋଜି ଜେଲ୍‌ରେ ଭରିବ ବୋଲି ସେ କହିଛନ୍ତି। ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟସଭା ସାଂସଦ ଡ. ଅନୀଲ ଜୈନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଷ୍ଟ୍ରୀୟ ସଂଗଠନ ସଦସ୍ୟ ସୌଦାମ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ପୂର୍ବ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବ ସାଂସଦ ସଙ୍ଗୀତା ଦେବୀଙ୍କ ସହ ଦଳର ବହୁ ବରିଷ୍ଠ ନେତା ଓ ଯୁବ କର୍ମକର୍ତ୍ତା ମଞ୍ଚରେ ମଞ୍ଚାସୀନ ଥିଲେ। ସମାବେଶରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଏବେ ବିଜୁ ବାବୁଙ୍କ ଆଦର୍ଶ ବିଜେଡିରେ ନାହିଁ । ସେହିପରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ର ସିଂହଭାଗ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ଏହାକୁ ନିଜର ପ୍ରକଳ୍ପ ବୋଲି ଦର୍ଶାଇବା ସହ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରେ ସକ୍ଷମ ହେଉଛନ୍ତି। ଯୁବମୋର୍ଚ୍ଚା ତା’ର ଖୁଲାସା କରିବାକୁ ସେ ଆହ୍ଵାନ ଦେବା ସହ ବୁଲେଟ୍‌ ନୁହେଁ ବାଲାଟ (ମତଦାନ) ଜରିଆରେ ତା’ର ଜବାବ ଦେବାକୁ ସମାବେଶରେ ଆହ୍ଵାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଶ୍ରୀ ଶାହ ବୁଧବାର କଳାହାଣ୍ଡିରେ କୃଷକ ସମାବେଶରେ ଯୋଗଦେଇ ଗୁରୁବାର ସଡ଼କ ପଥରେ ବେଲଗାଁ, ସଇଁନ୍ତଲାର ଫ୍ଲୋରାଇଡ୍‌ ପ୍ରଭାବିତ ବେନିଆବନ୍ଧ ଗାଁ, ଦେଓଗାଁ ବୁଢ଼ାଡଙ୍ଗରପଡ଼ାର ମହେଶ୍ୱର ଓ ଗୋମତୀ ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ସଇଁନ୍ତଲାରେ ଶ୍ରୀ ଶାହଙ୍କୁ କଳା ପତାକା ଦେଖାଇ ପ୍ରତିବାଦ କରାଯାଇଥିଲା। ସେହିପରି ବିରୋଧ ଆଶଙ୍କାରେ ସଇଁନ୍ତଲା, ତୁଷୁରା ଓ ବଲାଙ୍ଗୀର ପୁଲିସ ୨୫ରୁ ଅଧିକ ଲୋକଙ୍କୁ ଅଟକ ରଖିଥିଲା। ଦେଓଗାଁରୁ ଆସି କିଛି ସମୟ ବଲାଙ୍ଗୀର ସର୍କିଟ ହାଉସ୍‌ରେ ରହିଥିଲେ ଶ୍ରୀ ଶାହ। ଯୁବ ସମାବେଶରେ ଯୋଗଦେବା ପରେ ଧୁମାମରାରେ ପାର୍ଟି କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ। ଏହାପରେ ରାୟପୁର ଅଭିମୁଖେ ଯାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button